ସାମ୍ପ୍ରତିକ ପରିସ୍ଥିତିରେ ଆଡ଼ମିସନ ଫିସ୍ ଛାଡ଼ କରିବା ପାଇଁ କନ୍ଧମାଳରେ ତେଜିଲାଣି ଛାତ୍ର ଆନ୍ଦୋଳନ

ମହାମାରୀ କରୋନା ଦୋହଲାଇ ଦେଇଛି ଭାରତର ଅର୍ଥନୀତି। ଲକଡ଼ାଉନ ଓ ସଟଡ଼ାଉନ କାରଣରୁ ବିଗିଡି ଯାଇଛି ଭାରତର ଅର୍ଥବ୍ୟବସ୍ଥା। କେବଳ ଅର୍ଥନୀତି ବା ଅର୍ଥବ୍ୟବସ୍ଥା ନୁହେଁ, ଅନ୍ଯାନ୍ଯ ବିଭାଗ ଗୁଡିକ ମଧ୍ଯ ବେଶ୍ ପ୍ରଭାବିତ ହୋଇଛି। ପ୍ରଭାବିତ ହୋଇଥିବା ବିଭାଗରେ ବ୍ଯାପକ ସୁଧାର ଆଣିବାକୁ ପ୍ରଚେଷ୍ଟା କରାଯାଉଥିବା ବେଳେ ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ମଧ୍ଯ ଚର୍ଚ୍ଚାର ପରିସରଭୁକ୍ତ। ସମ୍ପ୍ରତି ଓଡ଼ିଶା ରାଜ୍ଯ ଗଣଶିକ୍ଷା ବିଭାଗ ଆଡ଼ମିସନ ପାଇଁ ବିଜ୍ଞପ୍ତି ଜାରି କରିଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ମଧ୍ଯ ଆଗାମୀ ଶିକ୍ଷାବର୍ଷ ନିମନ୍ତେ ପ୍ରସ୍ତୁତିର ଶେଷ ପର୍ଯ୍ଯାୟରେ। ସ୍କୁଲପିଲାଙ୍କ ଆଡ଼ମିସନ ବର୍ତ୍ତମାନ ଅଭିଭାବକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କଲେଜ ଆଡ଼ମିସନ ପାଇଁ ଏଯାବତ ବିଜ୍ଞପ୍ତି ପାଇନଥିଲେ ହେଁ ଏହି ପ୍ରସଙ୍ଗରେ ସମ୍ଯକ ଆଲୋଚନା ହେଲେ କାହିଁକି କେଜାଣି ଅଭିଭାବକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ଭୟର ବାତାବରଣ। “କଣ ଏ ବର୍ଷ ପିଲାଟା ପାଠ ପଢିପାରିବ ତ?”

ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗରେ ବ୍ଯାପକ ସୁଧାର ଆଣିବାକୁ ଯାଇ ରାଜ୍ଯ ସରକାର ନିକଟରେ +୩ ର ଦ୍ବିତୀୟ/ଚତୁର୍ଥ ସେମିଷ୍ଟର ଏବଂ ପି.ଜି.ର ଦ୍ବିତୀୟ ସେମିଷ୍ଟର ପରୀକ୍ଷା ବାତିଲ କରି ବିନା ପରୀକ୍ଷାରେ ସେମିଷ୍ଟର ପ୍ରମୋଶନ ନିମନ୍ତେ ଘୋଷଣା କରିଥିଲେ। ଯାହା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ଯତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଭିଡ଼ବ୍ଯାଚର କଳାଦାଗ କୁ ନେଇ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ସୃଷ୍ଟି ହୋଇଥିଲା ଏକ ଭୟାବହ ଆତଙ୍କ। ଏହି ପ୍ରସଙ୍ଗର ଭୟାବହତା ଦୂର ନ ହେଉଣୁ ଆଡ଼ମିସନ ଫିସ୍ କୁ ନେଇ ଶଙ୍କିତ ହୋଇ ଉଠିଛନ୍ତି ଆର୍ଥିକ ସ୍ବଚ୍ଛଳତା ନ ଥିବା ମେଧାବୀ ଛାତ୍ରଛାତ୍ରୀ ଏବଂ ତାଙ୍କର ଅଭିଭାବକ ମାନେ। ଶିକ୍ଷାଗତ କ୍ଯାରିୟରରେ ବ୍ଯାକ୍ ନାମକ କଳଙ୍କ ଲଗାଇ ନଥିବା ଗରିବ ମେଧାବୀ ଛାତ୍ରଟିଏ ବର୍ତ୍ତମାନ ନିଜ ଆଡ଼ମିସନକୁ ନେଇ ବେଶ ଶଙ୍କିତ ହୋଇ ଉଠିଛି। ଛାତ୍ରଟିଏ କ୍ଯାମ୍ପସରେ ପାଠପଢ଼େ ନିଜର ସ୍ବପ୍ନ ସହ। ନିଜ ଜୀବନର ଧାର୍ଯ୍ୟ ଲକ୍ଷ୍ଯ ସହିତ। ଛାତ୍ରକୁ ନିଜର ପୂର୍ଣ୍ଣ ଅଧିକାର ସାବ୍ଯସ୍ତ କରିବାର ଅଛି। ସେଥିପାଇଁ ଛାତ୍ରକୁ କୌଣସି ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରାଇବା ଅନୁଚିତ। ଏକ ଉନ୍ନତ ମାନବ ସମ୍ବଳ ବିକାଶ ନିମନ୍ତେ ଦେଶର ପ୍ରଶାସନିକ ବ୍ଯବସ୍ଥା ଏ ସମ୍ପର୍କରେ ସଠିକ୍ ନିଷ୍ପତ୍ତି ନେବା ଜରୁରୀ।

ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ପବିଙ୍ଗିଆ, ସାରଙ୍ଗଗଡ଼, ବିଶିପଡା, ଗୁମାଗଡ, ପାବୁରିଆ, ଲାଇନ ପଡା, ପସରା, କଳିଙ୍ଗା, ଗଞ୍ଜୁଗୁଡା, ତିଲକ ପଡା, ତୁଡ଼ିପାଜୁ, ଚକାପାଦ, ବ୍ରାହ୍ମଣପାଦ, ରୁପା ଗାଁ, ରୁଜାଙ୍ଗି, ପୀରକୁଡି, ଖଜୁରିପଡା, ତେରଗୁଡ଼ା, ତିଳକ ପଡା, ରାଇକିଆ, କୁତମ ଗଡ଼, ଶଙ୍କରାଖୋଲ, ଅଲାର ସାହି, କଇଁଝର, ପାବୁରିଆ, ଗୁମାଗାଡ, ଶଙ୍କରାଖୋଲ, ଆରାବାକା ଏବଂ ଟିକାବାଲି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଦ୍ୟର୍ଥୀ ପରିଷଦ ସର୍ବଦା ଛାତ୍ର ସମାଜର ହିତ ପାଇଁ କାର୍ଯ୍ୟ କରି ଆସିଛି । ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ଆଗାମୀ ଦିନରେ ହେବାକୁ ଥିବା
ଆଡ଼ମିସନ ଫିସ୍ ଛାଡ଼ କରିବା ପାଇଁ ସରକାରଙ୍କ ପାଖରେ ଦାବି ରଖିବା ସହିତ ଛାତ୍ର ସମାଜ ହିତରେ ସରକାର ଯଥାସମ୍ଭବ ପଦକ୍ଷେପ ନନେଲେ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ୟପିବ ବୋଲି କନ୍ଧମାଳ ଜିଲ୍ଲା ସଂଯୋଜକ ବିକାଶ କୁମାର ନାୟକ ଚେତାବନୀ ଦେଇଛନ୍ତି ।

ରିପୋର୍ଟ – ସଂଘମିତ୍ରା ପଣ୍ଡା