ଅଫେରା ରାଇଜେ ଓଲିଉଡ ଅଭିନେତା ବିଜୟ ମହାନ୍ତି

ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କିଛିଦିନ ହେଲା ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସିନେଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ସେ ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଆଦିକନ୍ଦ ମହାନ୍ତି ଓ ଶାନ୍ତିଲତା ମହାନ୍ତିଙ୍କ ସୁପୁତ୍ର ବିଜୟ ମହାନ୍ତି ଗ୍ରାଜୁଏସନ ପାସ କରିବା ପରେ ନ୍ୟାସନାଲ ସ୍କୁଲ ଆଣ୍ଡ ଡ୍ରାମାରେ ଯୋଗ ଦେଇଥିଲେ । ସେଠାରେ ସେ ବଲିଉଡର ଖ୍ୟାତିନାମା କଳାକାର ନାସିରୁଦ୍ଦିନ ଶାହା, ରାଜ ବାବର ଓ ଓମ୍‌ପୁରୀ ସହ ଉର୍ତ୍ତିଣ୍ଣ ହୋଇଥିଲେ । ୧୯୭୫ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀରେ ରହିବା ପରେ ଓଡ଼ିଶା ଫେରିଥିଲେ । ୧୯୭୭ରେ ‘ଚିକିକା ତିରେ’ ସିନେମାରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ନାଗଫାସ, ଦଣ୍ଡାବାଳୁଙ୍ଗା, ଜଗାହାତରେ ପଘା, ପୁଅମୋର କଳା ଠାକୁର ଭଳି ଅନେକ ଓଡ଼ିଆ ସିନେମାରେ ଅଭିନୟ କରି ଓଡ଼ିଶାର ଘରେଘରେ ପରିଚିତ ହୋଇପାରିଛନ୍ତି । ବିଜୟଙ୍କ ବିୟୋଗରେ କେବଳ ସିନେଜଗତ ନୁହେଁ ବରଂ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ଜାତି ବିଜୟଙ୍କ ପରି ଜଣେ ଭଲ ମଣିଷକୁ ହରାଇ ମିୟମ୍ରାଣ ହୋଇଯାଇଛି ।

ରିପୋର୍ଟ – ସଂଘମିତ୍ରା ପଣ୍ଡା