ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରାର ଫଟୋ କି ଭିଡ଼ିଓ ଦେଖିନପାରି ଅସନ୍ତୁଷ୍ଟ ଭକ୍ତ

କୋରାପୁଟ: ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ ରାଜ୍ୟର କି ଅନ୍ୟ ଜିଲ୍ଲାରେ ରଥଯାତ୍ରା ଅନୁଷ୍ଠିତ ନେଇ ରୋକ ଲାଗିଥିବା ବେଳେ ଶାବର ଶ୍ରୀକ୍ଷେତ୍ର ମଧ୍ୟ ଏଥିରେ ସାମିଲ ରହିଛି । ହେଲେ ଆଦିବାସୀଙ୍କ ଭାବାବେଗ ସହ ଜଡିତ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଭକ୍ତଙ୍କ ମନରେ ସକାଳୁ ଉଙ୍କି ମାରିଥିଲା ଅନେକ ପ୍ରଶ୍ନ । ଟେଲିଭିଜନରେ ପୁରୀ ରଥଯାତ୍ରାର ନୀତିକାନ୍ତି ସିଧାପ୍ରସାରଣ ହେଉଥିବା ବେଳେ କୋରାପୁଟବାସୀ ଶାବର ଶ୍ରୀକ୍ଷେତ୍ରରେ ଠାକୁରଙ୍କ ନୀତିକାନ୍ତି ଜାଣିବାକୁ ଉତ୍ସୁକ ଥିଲେ । କିନ୍ତୁ ଏହାର ଜବାବ କାହାରି ପାଖରେ ନଥିଲା ।ଅପରପକ୍ଷେ ସୋମବାର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସାମାଜିକ ଗଣମାଧ୍ୟମରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀର ସିଧା ପ୍ରସାରଣ କରାଯାଇଥିଲା । କିନ୍ତୁ ମଙ୍ଗଳବାର ଏହାକୁ ବନ୍ଦ କରାଯାଇଥିଲା । ତେବେ ସାମ୍ବାଦିକଙ୍କୁ ମନ୍ଦିର ପରିସରକୁ ପ୍ରବେଶ ବାରଣ ଥିବାବେଳେ ଏହାର କୌଣସି ଭିଡିଓ କିମ୍ବା ଫଟୋ ଉତ୍ତୋଳନ ହୋଇପାରିନଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଫଟୋ ଓ ଭିଡିଓ ଉତ୍ତୋଳନ କରି ସାମ୍ବାଦିକଙ୍କୁ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିଥିଲେ ହେଁ ଯାତ୍ରାର କୌଣସି ସୂଚନା ଦିଆଯାଇନଥିବାରୁ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା ।ଏଥିସହ ରଥଯାତ୍ରା ଅବସରରେ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଥିବାରୁ ଜନଗହଳିରେ ଫାଟି ପଡିବା ସହ ବଡଦାଣ୍ଡ ସମେତ ବଜାର ପିଣ୍ଡି ମଧ୍ୟ ଶୂନଶାନ ଥିଲା । ସେପଟେ ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତି କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ସକାଳ ପ୍ରାୟ ୮ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥାରୂଢ କରାଯାଇ ଆଡ଼ପ ମଣ୍ଡପକୁ ନିଆଯାଇଥିବା ମନ୍ଦିରର ସେବକ ଦୀପକ ମିଶ୍ର ଜଣାଇଛନ୍ତି ।

ରିପୋର୍ଟ – ସୁନ୍ଦର କୁମାର ପାଣି