ବେଆଇନ ମଦ କାରବାରରେ ଦୁଇ ଗିରଫ , ସ୍କୁଟି ଡିକିରୁ ଜବତ ହେଲା ମଦ ପାଉଚ ଏବଂ ଦେଶୀ ରନ୍ଧା ମଦ

ବେଆଇନ ମଦ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ପୋଲିସ୍ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁନ୍ଦରମିତି ବାଗଙ୍କସ୍ୱାମୀ ଜୟକୃଷ୍ଣ ବାଗ ଏବଂ ରାଧାକାନ୍ତ ସାହୁଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ।

ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗିରଫ ଦୁଇ ଜଣ ଏକ ନମ୍ବର ବିହୀନ ସ୍କୁଟିରେ ରନ୍ଧା ମଦ ନେଇଯାଉଥିଲେ । ପୋଲିସ ଏମାନଙ୍କୁ ସନ୍ଦେହରେ ପିଛା କରିବା ସହ ସ୍କୁଟିର ଯାଞ୍ଚ କରିଥିଲା । ସ୍କୁଟି ଡିକିରୁ ୫୦୦ ମି.ଲି. ର ୧୦ ଟି ମଦ ପାଉଚ ଓ ୨ ଲିଟର ଦେଶୀ ରନ୍ଧା ମଦ ବାହାରିଥିଲା । ବେଆଇନ ମଦ କାରବାରରେ ପଂଚାୟତ ସମିତି ଉପାଧ୍ୟକ୍ଷାଙ୍କ ସ୍ୱାମୀ ଗିରଫ ହୋଇଥିବା ଯୋଗୁ ଅଂଚଳରେ ଚର୍ଚାର ବିଷୟ ପାଲଟିଥିଲା । ତେବେ ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ରିପୋର୍ଟ -ସୁବ୍ରତ ମହାକୁର