ଆସନ୍ତା ୧୮ରେ ରଥଯାତ୍ରା ମାମଲାର ଶୁଣାଣି

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୬ଦିନ ବାକି। ରଥଖଳାରେ ଜୋରସୋରରେ ରଥକାମ ଆଗେଇ ଚାଲିଥିବାବେଳେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପାଇଲେ ପୁରୋହିତ। ରଥଯାତ୍ରା ଦିନ ପୁରୋହିତମାନେ ରଥ ପ୍ରତିଷ୍ଠା କରିଥାନ୍ତି। ଏନେଇ ପ୍ରସ୍ତୁତ ରହିବାକୁ ଶ୍ରୀମନ୍ଦିର ପୁରୋହିତଙ୍କୁ ପତ୍ର ଲେଖିଛି ଶ୍ରୀମନ୍ଦିର ପ୍ରଶାସନ।

ଅନ୍ଯପଟେ ରାଜ୍ୟ ସରକାର ରଥଯାତ୍ରା ନେଇ ଯାହା ନିଷ୍ପତ୍ତି ନେବେ, ସେବାୟତ ମାନେ ଗ୍ରହଣ କରିବେ । ବିନା ଭକ୍ତରେ କରୋନା କଟକଣା ନିୟମକୁ ମାନି ରଥଯାତ୍ରା କରାଯାଉ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନିବା ଦରକାର । ଏହା କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

ଏପଟେ ଆସନ୍ତା ୧୮ରେ ରଥଯାତ୍ରା ମାମଲାର ଶୁଣାଣି। ରଥଯାତ୍ରା ବାତିଲ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିଟ୍‌ ପିଟିସନର ଗୁରୁବାର ଶୁଣାଣି ହେବ। ୩ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ଓଡ଼ିଶା ବିକାଶ ପରିଷଦ ତରଫରୁ ସୁଶାନ୍ତ କୁମାର ପାଢ଼ୀ ରିଟ୍‌ ପିଟିସନ ଦାଖଲ କରିଛନ୍ତି।

ଆବେଦନ କରିଛନ୍ତି କୋର୍ଟ ରଥଯାତ୍ରା ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। କିମ୍ବା ଯେଉଁମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ସେମାନଙ୍କୁ କୁହନ୍ତୁ, ରଥଯାତ୍ର ପାଇଁ ଅନୁମତି ଦିଅନ୍ତୁ ନାହିଁ। ଏହି ପଟିସନରେ କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନଙ୍କୁ ପକ୍ଷଭୁକ୍ତ କରାଯାଇଛି |

ରିପୋର୍ଟ – ସଂଘମିତ୍ରା ପଣ୍ଡା