ପିଏମ କେୟାର ଫଣ୍ଡ : ବିରୋଧୀଙ୍କ ବିବାଦ, ଅଡିଟ୍ ପାଇଁ ନିଯୁକ୍ତି ହେଲେ ସ୍ୱତନ୍ତ୍ର ଅଡିଟର

ଦେଶରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ୩ଲକ୍ଷରୁ ଅଧିକ ହୋଇସାରିଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ମିଶି କରୋନା ମହାମାରୀକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏହାମଧ୍ୟରେ ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାମଧ୍ୟରେ ଏବେ ପିଏମ୍‌ କେୟାର୍ସ ଫଣ୍ଡ ଅଡିଟ୍‌ ହେବ ବୋଲି ଜଣାପଡ଼ିଛି । ଶୁକ୍ରବାର ଦିନ ମୋଦି ସରକାର ପିଏମ୍‌ କେୟାର୍ସ ଫଣ୍ଡର ତଥ୍ୟ ଅପଡେଟ୍‌ କରିବା ପାଇଁ ଏକ ସ୍ୱତନ୍ତ୍ର ଅଡିଟର ନିଯୁକ୍ତି କରିଛନ୍ତି ।  
ପିଏମ୍‌ କେୟାର୍ସ ଫଣ୍ଡର ତଥ୍ୟ ପାଇଁ ହାଇକୋର୍ଟରେ ଏକ ଆର୍‌ଟିଆଇ ଦାଖଲ କରାଯାଇଥିଲା । ଏବେ ପିଏମ୍‌ କେୟାର୍ସ ଫଣ୍ଡର ଅଡିଟ୍‌ର ତଥ୍ୟ ଦେବା ପାଇଁ ଦିଲ୍ଲୀର ଏକ ଫାର୍ମକୁ ଦାୟିତ୍ୱ ଦିଆଯାଇଛି । ପିଏମ୍‌ କେୟାର୍ସ ଫଣ୍ଡ ଏକ ସ୍ୱତନ୍ତ୍ର ଅଡିଟ ହେତୁ ଅଡିଟରକୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯିବ । ଚଳିତ ବିତ୍ତିୟ ବର୍ଷର ଶେଷରେ ପିଏମ୍‌ କେୟାର୍ସ ଫଣ୍ଡର ଅଡିଟ ହେବ । ପୂର୍ବରୁ ଆର୍‌ଟିଆଇ ଜରିଆରେ ପିଏମ୍‌ କେୟାର୍ସ ଫଣ୍ଡ ସମ୍ବନ୍ଧରେ ତଥ୍ୟ ମଗାଯାଇଥିଲା । କିନ୍ତୁ ପିଏମ୍‌ଓ ପକ୍ଷରୁ ତଥ୍ୟ ଦେବାକୁ ମନା କରାଯାଇଥିଲା । ଦେଶରେ ଆପତକାଳୀନ ସ୍ଥିତି ବା ସଙ୍କଟ ସମୟକୁ ସମ୍ମୁଖୀନ କରିବା ପାଇଁ ରାଷ୍ଟ୍ରୀୟ ନିଧିକୁ ଆବଶ୍ୟକତାକୁ ନଜର ରଖି ଏହି ଫଣ୍ଡର ଆରମ୍ଭ କରାଯାଇଥିଲା । ପ୍ରଭାବିତ ଲୋକ ଓ ଆବଶ୍ୟକତାକୁ ନଜର ରଖି ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ଯୋଜନା ରଖାଯାଇଥିଲା । କିନ୍ତୁ ଏହି ଫଣ୍ଡକୁ ନେଇ ବିରୋଧୀ ଅନେକ ଅଭିଯୋଗ ଆଣୁଛନ୍ତି । ତେଣୁ ଏହି ଫଣ୍ଡକୁ ନେଇ ବିବାଦ ଲାଗିରହିଛି ।

ରିପୋର୍ଟ – ପ୍ରିୟମ୍ବଦା ନାୟକ