ଭୁବନେଶ୍ୱର ଫେରିବେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି : ଘରୋଇ ହସ୍ପିଟାଲରେ ହେବେ ଚିକିତ୍ସିତ

ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଭିମୁ​‌ଖେ ଫେରୁଥିବା ସୂଚନାମିଳିଛି । ବିଜୟ ମହାନ୍ତି ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡିଛି । ଭୁବନେଶ୍ବରରେ ପହଞ୍ଚିବାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ ।ବିଜୟ ମହାନ୍ତି ଚିକିତ୍ସିତ ହେଉଥିବା ହାଇଦ୍ରାବାଦ ହସ୍ପିଟାଲର ଡାକ୍ତର ଏବଂ ଭୁବନେଶ୍ବରରେ ଚିକିତ୍ସିତ ହେବାକୁ ଥିବା ମେଡିକାଲର ଡ଼ାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବା ପାଇଁ ନିଷ୍ପତି ହୋଇଥିଲା। ଏଣୁ ଗତକାଲି ସନ୍ଧ୍ୟାରୁ ଭୁବନେଶ୍ବରରୁ ଏକ ଆମ୍ବୁଲାନ୍ସ ହାଇଦ୍ରାବାଦ ଯାଇଥିଲା।

ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିଜୟ ମହାନ୍ତି। ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଭୁବନେଶ୍ବର ଫେରିବା ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବ ପରି ଚିକିତ୍ସା ଚାଲୁ ରହିବ ବୋଲି ଜଣାପଡିଛି । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହଯୋଗ ଦ୍ୱାରା ବିଜୟଙ୍କ ଓଡିଶା ଫେରିବାର ବନ୍ଦୋବସ୍ତ ହୋଇଥିବା ସୂଚନା ମିଳିଛି ।

 ରିପୋର୍ଟ – ପ୍ରିୟମ୍ବଦା ନାୟକ