ରଥାରୁଢ଼ ୩ ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଛନ୍ତି। ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି। ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି।

ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ସମସ୍ତେ ଅନେଇ ରହିଛନ୍ତି କେତେବେଳେ ତିନି ଠାକୁରଙ୍କ ରଥଟଣା ଆରମ୍ଭ ହେବ ଓ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବାର ସମୟ ଆସିବ ।

ରିପୋର୍ଟ – ସଂଘମିତ୍ରା ପଣ୍ଡା