ଫି ଛାଡ଼ ନେଇ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ। କରୋନା ପାଇଁ ସ୍କୁଲ ଫି ଓ ବିଦ୍ୟୁତ୍ ବିଲ୍ ଛାଡ଼ ନେଇ ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ୍ କରିଛନ୍ତି ହାଇକୋର୍ଟ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ମୋଟ୍ ୧୩ ପକ୍ଷଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ। ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନର ଫି ଛାଡ଼ ନେଇ ନୋଟିସ୍ ଜାରି କରାଯାଇଛି।
ରାସନ୍ କାର୍ଡ ନଥିବା ସମସ୍ତ ବ୍ୟକ୍ତିଙ୍କୁ ରାସନ୍ ଦେବା ନେଇ ମଧ୍ୟ ନୋଟିସ୍ ହୋଇଛି। ଲକ୍ଡାଉନ୍ ରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲ୍ ଛାଡ଼ ନେଇ ନୋଟିସ୍ କରିଛନ୍ତି କୋର୍ଟ।
ଅନ୍ୟପଟେ ମେ’ ୩ ପରେ ଯଦି ଲକ୍ଡାଉନ୍ ନ ବଢ଼େ ତେବେ ଉଭୟ ଓଡ଼ିଶା ହାଇକୋର୍ଟ ଓ ତଳକୋର୍ଟରେ ଖରାଛୁଟି ବାତିଲ୍ ହେବ। ଏନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି, ଉପସଭାପତି, ସମ୍ପାଦକ ଓ ଆଡ୍ଭୋକେଟ ଜେନେରାଲଙ୍କ ସହ ବିଚାରବିମର୍ଶ ପରେ ହାଇକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି |
ରିପୋର୍ଟ – ସଂଘମିତ୍ରା ପଣ୍ଡା