ମେ ୪ ରୁ ଜୁନ ୧୩ ପର୍ଯ୍ୟନ୍ତ ୬ ସପ୍ତାହ ହ୍ଵାଟ୍ସଆପ୍ ରେ ପାଠ ପଢା ଚାଲିବ । ଏ ନେଇ ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପ୍ରକଳ୍ପ ସଂଯୋଜକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଲକ୍ ଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ଦେବା ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ‘ଓଡିଶା ଶିକ୍ଷାଦାନ ସଂଯୋଗ’ ଆରମ୍ଭ କରାଯାଇଥିଲା । ଗତ ୧୯ ତାରିଖରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହ୍ଵାଟ୍ସଆପ୍ ଗ୍ରୁପ୍ ରେ ଶିକ୍ଷା ଦିଆଯାଉଛି । ୧୦ ଦିନର ଏହି ସଫଳତାକୁ ନଜରରେ ରଖି ଓସେପା ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ଏହି ଅନଲାଇନ୍ ପାଠପଢ଼ାରେ ଦ୍ଵିତୀୟ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିପାରିବେ । ପ୍ରତି ସ୍ତରରେ ଏହି ହ୍ଵାଟ୍ସଆପ୍ ଗ୍ରୁପ୍ ଗଠନ କରାଯିବ । ବହିର ପ୍ରତ୍ୟେକ ଅଧ୍ୟାୟ ପିଡିଏଫ୍ ସେମାନଙ୍କ ନିକଟକୁ ପଠାଯିବ । ପ୍ରତିଦିନ ୪୫ ମିନିଟ୍ ଲେଖାଏଁ ୪ ଟି କ୍ଲାସ ହେବ । ଆହୁରି ମଧ୍ୟ ଏହି ନିର୍ଦ୍ଦେଶାନାମାରେ ହ୍ଵାଟ୍ସଆପ୍ ଗ୍ରୁପ୍ ଗଠନଶୈଳୀ, କାର୍ଯ୍ୟ ନିର୍ଘଣ୍ଟ, ଶିକ୍ଷା ସାମଗ୍ରୀ କୋଡ଼ିଂ ପଦ୍ଧତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ ରହିଛି ।
ରିପୋର୍ଟ – ସଂଘମିତ୍ରା ପଣ୍ଡା