ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ୫୮ ବର୍ଷୀୟ ପୁରୁଷ ଓ ତାଙ୍କର କୋଲକାତା ଲିଙ୍କ୍ ରହିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଭିବାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ଏବେ ସୁଦ୍ଧା, ଆଜି ଗୋଟିଏ ଦିନରେ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି।
ବାଲେଶ୍ୱରରେ ୩ ଜଣଙ୍କ ସହ କଟକ, ରାଉରକେଲା ଓ ଗଞ୍ଜାମରୁ ଜଣେ ଲେଖାଏ ପଜିଟିଭ୍ ବାହାରିଛନ୍ତି। ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣଙ୍କ ସମ୍ପର୍କରେ ସୂଚନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫୦ ବର୍ଷର ମହିଳା ଓ ୨୬ ବର୍ଷର ଯୁବକ। ଉଭୟ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି। ଆଜିର ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।
ସେହିଭଳି କଟକ ତିଗିରିଆ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପଜିଟିଭ୍ ହେଉଛନ୍ତି ୩୪ ବର୍ଷର ଯୁବକ। ନିକଟରେ ସେ ସୁରତରୁ ଫେରିଥିଲେ। ସେପଟେ ରାଉରକେଲାରୁ ଆଜି ଆଉ ଜଣେ ୪୯ ବର୍ଷର ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ କୋଲକତା ଫେରନ୍ତା ବୋଲି ସୂଚନା ମିଳିଛି। ତାଙ୍କର କଣ୍ଟା ଟ୍ରେସିଂ ଚାଲିଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା