ବାହାଘର ପାଇଁ ରୀତିମତ ଯୋଜନା । ଚିକ୍କଣ କଥା କହି ପ୍ରଥମେ ବାହାଘର , ତାପରେ ଦିନ କେଇଟାରେ ଶାଶୁଘର ଦ୍ୱାରା ଆରମ୍ଭ ହୋଇଯାଉଛି ମାନସିକ ଅତ୍ୟାଚାର ତା ସାଙ୍ଗକୁ ଯୌତୁକ ନିର୍ଯାତନା । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଜଣେ ନାମିଦାମୀ ଶିଳ୍ପପତିଙ୍କ ବୋହୁ ଲୋପା(ଛଦ୍ମନାମ) । ତାଙ୍କ କହିବା ମୁତାବକ ବାହାଘରର କିଛି ଦିନ ପରେ ଶାଶୁଘର ଲୋକେ ତାଙ୍କ ପ୍ରତି ଅଶ୍ଳୀଳ ଭାଷାର ବ୍ୟବହାର କରିବା ସହିତ କଥା କଥାରେ ଯୌତୁକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଗର୍ଭାବସ୍ଥା ସମୟରେ ମଧ୍ୟ ଅନେକ ଥର ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପିଡ଼ିତା ଏବଂ ଗର୍ଭସ୍ଥ ଶିଶୁକୁ ନିଜର ବୋଲି ଅସ୍ବୀକାର କରିବା ସହିତ ଗର୍ଭନଷ୍ଟ କରିଦେବା ପାଇଁ ଅନେକ ଥର ଚେଷ୍ଟା କରିଛନ୍ତି ଶାଶୁଘର ଲୋକ । ତେବେ ଶିଶୁ କନ୍ୟାର ଜନ୍ମପରେ ମଧ୍ୟ ତାକୁ ମାରିଦେବା ପାଇଁ ଶାଶୁଘର ଲୋକ ଷଡ଼ଯନ୍ତ୍ର ରଚିଥିବା କହିଛନ୍ତି ଲୋପା ।
ଶେଷରେ ନିଜ ଝିଅର ଜୀବନ ବଞ୍ଚେଇବା ପାଇଁ ଶାଶୁଘରୁ ବାପଘରକୁ ଯାଇଥିଲେ ପିଡ଼ିତା ଏବଂ ପରେ ସମ୍ପୂର୍ଣ୍ଣ ରୂପେ ଶାଶୁଘର ସହ ସମ୍ପର୍କ କାଟି ଦେବା ପାଇଁ ସ୍ଥିର କରି ମହିଳା ପୋଲିସ୍ କମିଶନର ଦ୍ୱାରସ୍ଥ ହୋଇଥିଲେ ଲୋପା । କିନ୍ତୁ ମହିଳା ଥାନା IIC ମାମଲାକୁ ଦବେଇଦେବା ପାଇଁ ପିଡ଼ିତାଙ୍କୁ ଦେଲେ ଉପଦେଶ , ତେବେ ପ୍ରଶ୍ନ ଉଠୁଛି ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହେବା ପରେ ପୋଲିସ୍ କୌଣସି ତଦନ୍ତ ନକରି କାହିଁକି ମାମଲାକୁ ରଫା ଦଫା କରିଦେବାକୁ ଚାହୁଁଛି । ସମାଜରେ ଦିନ ପ୍ରତିଦିନ ଏହିଭଳି ଯୌତୁକ ନିର୍ଯାତନାରେ ଉତ୍ପୀଡ଼ିତ ହେଉଥିବା ନିରୀହ ଜୀବନମାନଙ୍କ ପ୍ରତି କଣ ସତରେ ନାହିଁ କୌଣସି ନ୍ୟାୟ ବ୍ୟବସ୍ଥା ।
ରିପୋର୍ଟ – ପ୍ରିୟମ୍ବଦା