ଶେଷରେ ଅନ୍ଲାଇନ୍ ମଦ କାରବାର ଓ ‘ମଦର ହୋମ୍ ଡେଲିଭରି’ ବ୍ୟବସ୍ଥାକୁ ‘ହଁ’ ଭରିଛନ୍ତି ସରକାର। ଫଳରେ, ଆଜି ଅର୍ଥାତ୍ ମେ’ ୨୪ ତାରିଖରୁ ଫୋନ୍ ଯୋଗେ ମଦ ବୁକ୍ କଲେ କିଛି ସମୟ ଭିତରେ ତାହା ସିଧା ଘରେ ପହଞ୍ଚିବ । କିନ୍ତୁ ମଦ ଓ ବିୟର ୫୦% ମହଙ୍ଗା କରିଛନ୍ତି ରାଜ୍ୟ ସରକାର । ଉଭୟ ବିଦେଶୀ ମଦ ଓ ବିୟର୍ ବିକ୍ରି ନେଇ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କଣ୍ଟେନମେଣ୍ଟ୍ ଜୋନ୍ ଓ ସପିଂ ମଲ୍ ଛଡ଼ା ଅନ୍ୟ ସବୁ ସ୍ଥାନରେ ଏଭଳି ଢଙ୍ଗରେ ମଦର ଯୋଗାଣ ହୋଇପାରିବ । ଅବକାରୀ ଆଇନ ୨୦୧୭ରେ ସଂଶୋଧନ ପରେ ରାଜ୍ୟ ଅବକାରୀ ବିଭାଗ ଏପରି ନିଷ୍ପତ୍ତି ନେଇଛି । ଉଭୟ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଏହି ହୋମ୍ ଡେଲିଭରି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ତେବେ, ମଦ କିଣିବା ପାଇଁ ଗ୍ରାହକଙ୍କୁ ଏବେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ବିଦେଶୀ ମଦ ଓ ବିୟର୍ ଆଗ ଅପେକ୍ଷା ମହଙ୍ଗା ହେବ । ମଦ ଉପରେ ରାଜ୍ୟ ସରକାର ନୂଆ ‘ସ୍ପେସାଲ୍ କୋଭିଡ୍ ଫି’ ଲାଗୁ କରିଛନ୍ତି । ମଦର ‘ଏମ୍ଆର୍ପି’ ଅର୍ଥାତ୍ ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ୫୦ ପ୍ରତିଶତ ଦର ବୃଦ୍ଧି ହୋଇଛି । ଗ୍ରାହକଙ୍କଠାରୁ ନିଆଯିବାକୁ ଥିବା ଏହି ଅତିରିକ୍ତ ଅର୍ଥ କରୋନା ରୋଗୀଙ୍କ ଚିକିତ୍ସାରେ ବିନିଯୋଗ ହେବ । ମଦର ହୋମ୍ ଡେଲିଭରି ଦୋକାନୀମାନେ ସିଧାସଳଖ କରିପାରିବେ ।
ମଦ କୋଦାନୀମାନେ ସେମାନଙ୍କର ଫୋନ ନମ୍ବର, ମୋବାଇଲ୍, ହ୍ୱାଟ୍ସ୍ଆପ୍ ନମ୍ବର, ଇ-ମେଲ୍ ଆଇଡି ଓ ୟୁପିଆଇ ଭଳି ସମସ୍ତ ତଥ୍ୟ ନିଜ ଦୋକାନ ବାହାରେ ଏକ ବୋର୍ଡରେ ଉଲ୍ଲେଖ କରି ଝୁଲାଇବେ । ଏହାଛଡ଼ା ଓଡ଼ିଶା ଷ୍ଟେଟ୍ ବିଭ୍ରେଜ୍ କର୍ପୋରେସନ୍ର ୱେବ୍ସାଇଟ୍ ରେ ମଧ୍ୟ ଜିଲ୍ଲାୱାରୀ ଉଭୟ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନର ତାଲିକା ଓ ଅନ୍ୟ ତଥ୍ୟ ପ୍ରଦାନ କରାଯିବ । ମଦ ଦୋକାନୀମାନେ ମଦର ଅର୍ଡର କେବଳ ଫୋନ୍, ଏସ୍ଏମ୍ଏସ୍ ଓ ହ୍ୱାଟ୍ସ୍ଆପ୍ ଜରିଆରେ ନେଇପାରିବେ । ମଦର ଅନ୍ଲାଇନ୍ ବୁକିଂ ବେଳେ ଅନ୍ଲାଇନ୍ ପେମେଣ୍ଟ୍ ପାଇଁ ଯଦି ବ୍ୟାଙ୍କ୍ ଅଧିକ ଅର୍ଥ ଚାର୍ଜ କରୁଛି ତାହେଲେ ସେହି ଚାର୍ଜ ମଧ୍ୟ ଗ୍ରାହକମାନେ ଦେବେ । ୧ ହଜାର ଟଙ୍କା ପର୍ଯ୍ୟନ୍ତ ମଦ କିଣିଲେ ୧୦୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ । ଏହା ପରେ ମଦର ମୂଲ୍ୟ ଯେତେ ୫୦୦ ଟଙ୍କା ଲେଖାଏଁ ବଢ଼ିବ, ସେଥିପାଇଁ ଅଧିକ ୨୫ ଟଙ୍କାର ଡେଲିଭରି ଚାର୍ଜ ନିଆଯିବ । ଏଣୁ ମଦ ମହଙ୍ଗା ହୋଇଯିବ ।
ରିପୋର୍ଟ – ପ୍ରିୟମ୍ବଦା