ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍ମର୍ମ ନୁହେଁ

ଦୁଷ୍କର୍ମ ସଂପର୍କରେ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଏକ ଜାମିନ୍ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ଏଥିସହିତ ସଂପୃକ୍ତ ମାମଲାର ଅଭିଯୁକ୍ତକୁ ଜାମିନ୍ ଦେବାକୁ ତଳକୋର୍ଟଙ୍କୁ କହିଛନ୍ତି।

୨୦୧୯ ନଭେମ୍ବର ୨୭ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ ଅଭିଯୋଗ କରିଥିଲେ। ନିଜ ଗାଁର ଅଚ୍ୟୁତ କୁମାର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିବା, ଏପରିକି ୨ ଥର ଗର୍ଭବତୀ ମଧ୍ୟ ହୋଇଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ।

ଏହା ଆଧାରରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା। କୋରାପୁଟ ଜୟପୁର ସ୍ୱତନ୍ତ୍ର ସେସନ୍ସ କୋର୍ଟ ଅଭିଯୁକ୍ତର ଜାମିନ୍ ଆବେଦନକୁ ଖାରଜ କରି ଦେଇଥିଲେ। ଏହା ବିରୋଧରେ ହାଇକୋର୍ଟ ଯାଇଥିଲା ଅଭିଯୁକ୍ତ। ଆଜି ଏ ନେଇ ମାମଲାର ଶୁଣାଣି କରିଥିଲେ ହାଇକୋର୍ଟ।

ଅଭିଯୁକ୍ତକୁ ଜାମିନ୍ ଦେବା ପାଇଁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇ ହାଇକୋର୍ଟ କହିଛନ୍ତି, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ହେଲେ, ତାକୁ ଦୁଷ୍କର୍ମର ଆଖ୍ୟା ଦେବା ଠିକ୍ ଲାଗୁ ନାହିଁ। ଯେତେବେଳେ ଯୁବତୀ ଜଣକ ନିଜ ଇଚ୍ଛାରେ ସଂପର୍କ ରଖୁଛନ୍ତି, ସେତେବେଳେ ଦୁଇ ଜଣ ବ୍ୟକ୍ତିଙ୍କ ସଂପର୍କକୁ ନେଇ ଦୁଷ୍କର୍ମ ଆଇନ୍ ପ୍ରୟୋଗ କରାଯିବା ଠିକ୍ ନୁହେଁ।  ଏପରି ଘଟଣାରେ ଦୁର୍ବଳ, ଗରିବ ଶ୍ରେଣୀର ମହିଳା ସମସ୍ୟାରେ ପଡୁଛନ୍ତି ଏବଂ ଦୁଷ୍କର୍ମ ଆଇନ୍ ସେମାନଙ୍କର ସମସ୍ୟାର ସମାଧାନ କରିପାରୁନଥିବା କହି ହାଇକୋର୍ଟ ଉଦବେଗ୍ ପ୍ରକାଶ କରିଛନ୍ତି।

ରିପୋର୍ଟ – ସଂଘମିତ୍ରା ପଣ୍ଡା