ବାତିଲ ହେଲା ମାଟ୍ରିକ ଖାତା ମୂଲ୍ୟାୟନ , “ଆମ୍ଫାନ”କୁ ଦୃଷ୍ଟିରେ ରଖି ନିଆଯାଇଛି ଏଭଳି ପଦକ୍ଷେପ

ମାଟ୍ରିକ ଖାତା ଦେଖା ବାତିଲ। ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା । ଓଡିଶାର ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହେବ ଧାର୍ଯ୍ୟ ହୋଇଥିଲା। ମୂଲ୍ୟାୟନ କେନ୍ଦ୍ରର ୧୦କିମି ପରିଧି ଭିତରେ ଥିବା ଶିକ୍ଷକ ଖାତା ଦେଖିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆସନ୍ତା ୨୦ତାରିଖରେ ମୂଲ୍ୟାୟନ ହେବାର ଥିଲା ତେବେ ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ମୂଲ୍ୟାୟନ ତାରିଖ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିଲା । ସାମୁଦ୍ରିକ ଝଡ ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନକୁ ପୁଣି ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ପରୀକ୍ଷାଖାତା ମୂଲ୍ୟାଙ୍କନ ଲାଗି ତାରିଖ ସ୍ଥିର ହୋଇ ଘୁଞ୍ଚି ସାରିଛି। ସୂଚନା ଅନୁସାରେ, ପୂର୍ବ ନିର୍ଦ୍ଧାରିତ ୨୦ ତାରିଖ ପରିବର୍ତ୍ତେ ୨୧ ତାରିଖଠାରୁ ଖାତା ଦେଖା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା । ମାଟ୍ରିକ୍‌ ଉତ୍ତର ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ରାୟ ପରେ ମୂଲ୍ୟାୟନ କେନ୍ଦ୍ର ଚୟନ ଓ ଦୂରତା‌ ନେଇ ଗତକାଲି ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ଗତକାଲିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୫୭ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଅତିବେଶିରେ ୨୦୦ ମୂଲ୍ୟାୟନକାରୀକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ସାମାଜିକ ଦୂରତା ସହ ମୂଲ୍ୟାୟନକାରୀ ମାସ୍କ ପରିଧାନ କରିବେ। ସାନିଟାଇଜେସନରେ ହାତ ସଫା ରଖିବେ। ଯଦି କୌଣସି ମୂଲ୍ୟାୟନ କେନ୍ଦ୍ରରେ ୨୦୦ ମୂଲ୍ୟାୟନକାରୀ ବସିବାରେ ଅସୁବିଧା ହୁଏ ସେଭଳି ସ୍ଥଳେ କେନ୍ଦ୍ରର ସୁପରଭାଇଜର ନିକଟସ୍ଥ ସମ୍ପ୍ରସାରଣ କେନ୍ଦ୍ରକୁ ମୂଲ୍ୟାୟନ ପାଇଁ ବ୍ୟବହାର କରିପାରିବେ। କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ମୂଲ୍ୟାୟନ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମୂଲ୍ୟାୟନକାରୀମାନେ ସେଠାରେ ଯୋଗଦେବା ଦିଗରେ ପଦକ୍ଷେପ ନେବାକୁ ଡିଇଓମାନଙ୍କୁ କୁହାଯାଇଛି।

ରିପୋର୍ଟ – ପ୍ରିୟମ୍ବଦା