ଓଡିଶା ରେ ଦୃତ ଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭୋରୁ ଭୋରୁ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତକୁ ମିଶାଇ ରାଜ୍ୟରେ ୨୮୭ରେ ପହଞ୍ଚିଲା । ସେହିଭଳି ବର୍ତ୍ତମାନ ଚିହ୍ନଟ ହୋଇଥିବା ସମସ୍ତ ୩ ଆକ୍ରାନ୍ତ ମୟୁରଭଞ୍ଜ ଜିଲ୍ଲାର ବୋଲି ସୂଚନା ମିଳିଛି । ସେପଟେ ଏହାପୂର୍ବରୁ ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୧୨ ଜଣ ହୋଇଥିବା ବେଳେ ଭଦ୍ରକ ଏବଂ ସୁନ୍ଦରଗଡରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମୟୁରଭଞ୍ଜରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ତେବେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଗଞ୍ଜାମ ପାଇଁ ଚିନ୍ତା ଆହୁରି ବଢି ଯାଇଛି । ଦିନ କେଇଟାରେ ହଟସ୍ପଟ୍ ପାଲଟିଛି ଗଞ୍ଜାମ ଜିଲ୍ଲା । ଏବେ ସୁଦ୍ଧା ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଆକ୍ରାନ୍ତ ସୁରତ ଫେରନ୍ତା । ଯଦିଓ ଆଜିର ଆକ୍ରାନ୍ତଙ୍କ ଗ୍ରସ୍ତ ସୂଚନା ମିଳି ନାହିଁ । ପୂର୍ବରୁ ଚିହ୍ନଟ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ୭୦ ଜଣ ସୁରତ ଫେରନ୍ତା ଅଛନ୍ତି । କେବଳ ଜଣେ କେରଳ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଗତକାଲି ରାଜ୍ୟରେ ମୋଟ୍ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ରୁ ଚିହ୍ନଟ ହୋଇଥିଲେ ୪୩ ଜଣ ଆକ୍ରାନ୍ତ ।
ରିପୋର୍ଟ – ସଂଘମିତ୍ରା ପଣ୍ଡା