କୋରାପୁଟ :କୋରାପୁଟ ଉପନିବନ୍ଧକ (ସବ୍ ରେଜିଷ୍ଟାର) କାର୍ଯ୍ୟାଳୟ ଠାରେ ଗୋଟିଏ ଦିନରେ (୫ଘଣ୍ଟାରେ) ଜମି ମାଲିକାନା ହସ୍ତାନ୍ତର ବିକ୍ରିନାମା ଦଲିଲର ପଞ୍ଜିକରଣ ଏବଂ ପଟ୍ଟା ପ୍ରଦାନ କରାଯାଇଛି । କୋରାପୁଟ ତହସିଲରେ ଏହା ପ୍ରଥମ ଘଟଣା । ନମିତା ଖରା, ଝରଣା ବିଶି , ସଚିଦା ନନ୍ଦ ନାୟକ, ମିନତି ନାୟକ, ରମାକାନ୍ତ ନାୟକ, ଦିଲ୍ଲୀପ କୁମାର ନାୟକ ନାମକ ୬ଜଣଙ୍କୁ ଗୋଟିଏ ଦିନରେ ଜମି ବିକ୍ରି ନାମା ଦଲିଲ ଓ ପଟ୍ଟା ପ୍ରଦାନ କରିଛନ୍ତି କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର । କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ୍ ଓ ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା ଉପସ୍ଥିତ ରହି ଏହି ପଟ୍ଟା ପ୍ରଦାନ କରିଛନ୍ତି । ଜମି କିଣିବିକା ପରେ କ୍ରୟ କରିଥିବା ବ୍ୟକ୍ତିଙ୍କୁ ଜମିର କାଗଜପତ୍ର ପାଇଁ ଯେପରି ବାରମ୍ବାର ସବ୍ ରେଜିଷ୍ଟାର୍ ଅଫିସ ଦୌଡିବାକୁ ପଡିବନି ସେଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ତହସିଲଦାର ରଞ୍ଜନ କୁମାର ମାନସେଠ୍ ପ୍ରକାଶ କରିଛନ୍ତି ।
ବିଗତ ଦିନ ମାନଙ୍କରେ ଜମି ବିକ୍ରିନାମା ଦଲିଲ ଓ ପଟ୍ଟା ସକାଶେ ହିତାଧିକାରୀମାନଙ୍କୁ ମାସ ମାସ ଯଗିବାକୁ ପଡୁଥିଲା । ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ “ମୋ ସରକାର” କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଗୋଟିଏ ଦିନରେ ଜମି କିଣାବିକା କାଗଜପତ୍ର ମିଳିପାରିଛି । ଜମିବାଡି ବିକ୍ରି ଓ ଖର୍ଦି କରୁଥିବା ଲୋକମାନଙ୍କୁ ତହସିଲ ପକ୍ଷରୁ ୭ ଦିନ ମଧ୍ୟରେ ମାଲିକାନା ସ୍ୱତ୍ୱ (ପଟ୍ଟା) ଦିଆଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ୫ଘଣ୍ଟା ମଧ୍ୟରେ ୬ଜଣ ଜମି ଖର୍ଦି କରିଥିବା ବ୍ୟକ୍ତିଙ୍କୁ ତାଙ୍କର ମାଲିକାନା ପ୍ରମାଣ ପତ୍ର ପ୍ରଦାନ କରିବାରେ ସଫଳ ହୋଇଛି କୋରପୁଟ ତହସିଲ |
ରିପୋର୍ଟ – ସୁନ୍ଦର କୁମାର ପାଣି