ଯୋଗ:-ସଂସ୍କୃତର ‘ଯୁଜ୍’ ଧାତୁରୁ ଯୋଗର ଉତ୍ପତି; ଯାହାର ଅର୍ଥ ‘ଯୋଡ଼ିବା’। ଅର୍ଥାତ୍ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା। ସ୍ପଷ୍ଟ ଶବ୍ଦରେ କହିଲେ, ଯୋଗର ଅର୍ଥ ଶାରୀରିକ ବ୍ୟାୟାମ, ଯେଉଁ ପ୍ରକ୍ରିୟାରେ ମନୁଷ୍ୟ ସୁସ୍ଥ ରହିବା ପାଇଁ ନିଜ ଶରୀରକୁ ମୋଡ଼ିଥାନ୍ତି, ଟାଣିଥାନ୍ତି, ସମ୍ପ୍ରସାରିତ କରିଥାନ୍ତି ଓ ଶ୍ୱାସ ନେବାର ଜଟିଳ ତରିକା ଆପଣେଇଥାନ୍ତି। ଯୋଗ ଦ୍ୱାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ। ଏହା ମଧ୍ୟ ଜଣେ ବ୍ୟକ୍ତିର ଦିନଚର୍ଯ୍ୟାକୁ ସୁନ୍ଦର କରିଥାଏ। ଐତିହାସିକଙ୍କ କହିବାନୁସାରେ, ସଭ୍ୟତା ଆରମ୍ଭ ହେବା ଦିନଠୁ ଯୋଗ କରାଯାଇ ଆସୁଛି। ଯୋଗ ପାଞ୍ଚ ହଜାର ବର୍ଷ ବା ତା’ଠାରୁ ଆହୁରି ଏକ ପୁରାତନ ପ୍ରକ୍ରିୟା। ଏହା ମଧ୍ୟ କୁହାଯାଉଛି ଯେ, ଯୋଗର ପ୍ରଥମ ଗୁରୁ ହେଉଛନ୍ତି ଭଗବାନ ଶିବ। ପ୍ରାଚୀନତମ ବୃହତ ଆରଣ୍ୟକ ଉପନିଷଦରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ରହିଛି। ଭାଗବତ ଗୀତା ଓ ମହାଭାରତର ଶାନ୍ତିପର୍ବରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ଦେଖିବାକୁ ମିଳେ। ଆଦିଗୁରୁ ଭଗବାନ ଶିବଙ୍କ ପରେ ସାଧୁ, ମୁନି, ଋଷିମାନଙ୍କଠାରୁ ଯୋଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଭଗବାନ ଶ୍ରୀକୃଷ୍ଣ, ମହାବୀର ଜୈନ ଓ ଗୌତମ ବୁଦ୍ଧ ମଧ୍ୟ ନିଜ ନିଜ ଶୈଳୀରେ ଯୋଗର ପ୍ରସାର କରିଛନ୍ତି। ଏହାପରେ ଋଷି ପତଞ୍ଜଳି ଯୋଗକୁ ଏକ ନୂଆ ପରିଚୟ ଦେଇଥିଲେ। ସେହି କାରଣରୁ ପତଞ୍ଜଳିଙ୍କୁ ଯୋଗର ଜନକ କୁହାଯାଏ।
ରିପୋର୍ଟ – ସଂଘମିତ୍ରା ପଣ୍ଡା