ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଭାରତୀୟ ନୌସେନା ଭାରତ ମହାସାଗରକୁ ଅତିରିକ୍ତ ଯୁଦ୍ଧ ଜାହାଜ ପଠାଇଛି । ଏହାକୁ ଭାରତ ମହାସାଗରରେ ମୁତୟନ କରାଯାଇଥିବା ସୂଚନା ମିଳିଛି । ଗଲଓ୍ୱାନୀ ଘାଟିରେ ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଙ୍ଘର୍ଷ ପରେ ଭାରତ ଏହି ପଦକ୍ଷେପ ନେଇଛି ।ଦେଶର ପୂର୍ବ ଓ ପଶ୍ଚିମ ଭାଗରେ ଥିବା ନୌସେନା ଜାହାଜକୁ ହାଇ ଆଲର୍ଟରେ ରଖାଯାଇଛି । ଫଳରେ କୌଣସି ପରିସ୍ଥିତିରେ ଜାହାଜ ସବୁ ଅପରେସନ ପାଇଁ ତୁରନ୍ତ ପ୍ରସ୍ତୁତ ହୋଇପାରିବେ । ସାଧାରଣଠୁ ଅଧିକମାତ୍ରାରେ ଜାହାଜକୁ ମୁତୟନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତଙ୍କ ମଧ୍ୟରେ ବସିଥିବା ଉତ୍ତସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜେନେରାଲ ରାଓ୍ୱତ ତିନି ବାହିନୀର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ , ପୂର୍ବରୁ ବାଲାକୋଟ ଷ୍ଟ୍ରାଇକ ପରେ ଭାରତ ଆରବ ସାଗରରେ ଏପରି ଜାହାଜ ମୁତୟନ କରିଥିଲା । ଗତ ସୋମବାର ରାତ୍ରରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ଏବଂ ସୂତ୍ରାନୁସାରେ ଚୀନର ୪୩ ସୈନିକ ପ୍ରାଣ ହରାଇଛନ୍ତି ।
ରିପୋର୍ଟ – ପ୍ରିୟମ୍ବଦା ନାୟକ