କେରଳ ଛୁଇଁଲା ମୌସୁମୀ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି।

ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍‌’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍‌ ୧ରୁ-୫ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍‌ ପହିଲାରେ ହିଁ କେରଳକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

ବର୍ଷ ସାରା ଭାରତରେ ଯେତେ ବର୍ଷା ହୁଏ, ତା’ର ୭୦ ପ୍ରତିଶତ ବର୍ଷା ଏହି ମୌସୁମୀ ବାୟୁ ଯୋଗୁ ହୋଇଥାଏ। ଏହି ବର୍ଷା ଉପରେ ନିର୍ଭର କରିଥାଏ ଦେଶର କୃଷି କାର୍ଯ୍ୟ। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ମୌସୁମୀ ବର୍ଷା ଉପରେ ହିଁ ଏହାର ଅର୍ଥନୀତି ନିର୍ଭର କରିଥାଏ।
ଜୁନ୍‌ରୁ ସେପ୍ଟେମ୍ବର ଶେଷ ଯାଏ, ପ୍ରାୟ ୪ ମାସ ସକ୍ରିୟ ରହିଥାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବଂ ଭାରତରେ ଏହି ସମୟରେ ବର୍ଷା ଋତୁର ଆରମ୍ଭ ହୋଇଥାଏ।

ରିପୋର୍ଟ – ସଂଘମିତ୍ରା ପଣ୍ଡା