କରୋନା ସଂକ୍ରମଣ ଯୋଗୁଁ ହଠାତ ଦେଶରେ ଲକଡାଉନ ଘୋଷଣା ହେବା ଫଳରେ ପ୍ରବାସୀ ଶ୍ରମିକ କାମ ଧନ୍ଦା ନ ପାଇ ଏବଂ ଖାଇବା ପିଇବାରେ ସମସ୍ୟା ଯୋଗୁଁ ଘରମୁହାଁ ହୋଇଛନ୍ତି | ଅନେକ ପ୍ରବାସୀ ଚାଲି ଚାଲି ନିଜ ନିଜ ଘରକୁ ଫେରୁଥିବାବେଳେ ଆଉ କିଛି ସାଇକଲ କିମ୍ବା ରିକ୍ସାରେ ନିଜ ନିଜ ଭିଟାମାଟିକୁ ଫେରିଛନ୍ତି | ଶ୍ରମିକଙ୍କ ଏହିଭଳି ଦୁର୍ଦଶା ପରେ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ସେବା ଆରମ୍ଭ କରିଥିଲେ | ସରକାରଙ୍କ ଛଡା କିଛି ସେଲିବ୍ରିଟି ଏବଂ ସାଧାରଣ ଜନତା ମଧ୍ୟ ପ୍ରବାସୀଙ୍କୁ ସାହାଯ୍ୟ କରିଛନ୍ତି | କିନ୍ତୁ , ନୋଏଡାର ଜଣେ ୧୨ ବର୍ଷର ଛାତ୍ରୀ ନିଜ ସଞ୍ଚିତ ଜମା ପୁଞ୍ଜିରୁ ୪୮ ହଜାର ଟଙ୍କା ଖର୍ଚ୍ଚ କରି ୩ ପ୍ରବାସୀ ଶ୍ରମିକଙ୍କୁ ଝାରଖଣ୍ଡକୁ ପଠାଇଛନ୍ତି | ଛାତ୍ରୀ ଜଣକ ବିମାନ ଯୋଗେ ୩ ଶ୍ରମିକଙ୍କୁ ଝାରଖଣ୍ଡକୁ ପଠାଇଛନ୍ତି | ନିହାରିକା ଦ୍ବିବେଦୀ ନାମକ ଏହି ୧୨ ବର୍ଷୀୟ ଛାତ୍ରୀ କହିଛନ୍ତି, ସମାଜରୁ ସେ ବହୁତ କିଛି ଶିଖିଛନ୍ତି | ସେଥିପାଇଁ ବର୍ତ୍ତମାନ ତାଙ୍କ ଦାୟିତ୍ୱ ସେ ମଧ୍ୟ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜ ପାଇଁ କିଛି କରିବେ ବୋଲି ସେ କହିଛନ୍ତି | ନିହାରିକାଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି |
ନିହାରିକା ନିଜ ସକ୍ଷମରେ କେବଳ ୩ ଶ୍ରମିକଙ୍କୁ ନିଜ ଘରକୁ ଯିବାକୁ ସାହାଯ୍ୟ କରିନାହାନ୍ତି ବରଂ ଏହି ୩ ଶ୍ରମିକ ପ୍ରଥମଥର ପାଇଁ ବିମାନରେ ଯାତ୍ରା କରୁଛନ୍ତି | ଏହି ଶ୍ରମିକଙ୍କୁ ସାହାଯ୍ୟ କରି ନିହାରିକା ବହୁତ ଖୁସି | ଝାରଖଣ୍ଡର ଏହି ପ୍ରବାସୀ ଶ୍ରମିକ ନିହାରିକାଙ୍କୁ ବହୁତ ଧନ୍ୟବାଦ ଜଣାଈବା ସହ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି |
ରିପୋର୍ଟ – ପ୍ରିୟମ୍ବଦା