ଆଜିଠାରୁ ଦେଶରେ ଲାଗୁ ହେବ ‘ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ’

ବର୍ତ୍ତମାନ ମହାମାରୀ କରୋନା ସଂକଟ ଭିତରେ ପ୍ରବାସୀ ଶ୍ରମିକ ଏବଂ ଗରିବ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଆଜିଠାରୁ ସାରା ଦେଶରେ ‘ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ’ ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ ଲାଗୁ ହେବାକୁ ଯାଉଛି । ଅର୍ଥାତ୍ ଏଣିକି ଆପଣ ଯେଉଁ ସ୍ଥାନରେ ଥିଲେ ବି ରାସନ୍ ସାମଗ୍ରୀ, ଯେକୌଣସି କଂଟ୍ରୋଲ ଦୋକାନରୁ ଉଠାଇ ପାରିବେ । ୨୩ଟି ରାଜ୍ୟରୁ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା ଲାଗୁ ହେବ ।

ଓଡିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଲାଗୁ ହେବ । ଏହାକୁ ଲାଗୁ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରୁ ପାଇଲଟ୍ ବେସିସ୍ ରେ ଭୁବନେଶ୍ୱର ମହାନଗର ନିଗମରୁ ଏହା ଆରମ୍ଭ ହେବ । ପରେ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ ବୋଲି କହିଛନ୍ତି  ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଓଡ଼ିଶାରେ ୩ କୋଟି ୨୬ ଲକ୍ଷ ୪୧ ହଜାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନ୍ ରେ ସାମିଲ ହୋଇଛନ୍ତି । ଯାହା ମୋଟ୍ ଜନସଂଖ୍ୟାର ପ୍ରାୟ ୭୮ ପ୍ରତିଶତ । ସେପଟେ ୨୦୧୮ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବାଦ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି । ତେଣୁ ଏହି ହିତାଧିକାରୀଙ୍କ ରାସନକାର୍ଡଧାରୀକୁ ଆଧାର ଲିଙ୍କ କରି ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ରିପୋର୍ଟ – ସଂଘମିତ୍ରା ପଣ୍ଡା