ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର :-

ଶ୍ରମିକ ସ୍ପେଶାଲ୍ ଏକ୍ସପ୍ରେସ୍ ରେ ୧୮ ବର୍ଷ ଯୁବତୀଙ୍କ ମୃତ୍ୟୁ । ବିଶାଖାପାଟଣା-ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଥିବା ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ରେ ଏଭଳି ଦୁଃଖଦ ଘଟଣା ଘଟିଛି । ଯୁବତୀ ଜଣକ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ର ରାଧା ଖରା ବୋଲି ଜଣାପଡିଛି । ଟ୍ରେନ୍ ର ଏସ୍-୧୦ ବଗିରେ ସେ ଘରକୁ ଫେରୁଥିଲେ । ଏଡିଏମଓ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବତୀଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ତେବେ ତାଙ୍କର ଶବ ବ୍ୟବଛେଦ କରାଯିବ । କୋଭିଡ୍-୧୯ ଭୂତାଣୁ ପରୀକ୍ଷଣ ମଧ୍ୟ କରାଯିବ ବୋଲି ଜଣାପଡିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ଟ୍ରେନ୍ ବଲାଙ୍ଗୀର ଷ୍ଟେସନ୍‌ ରେ ପହଞ୍ଚିବା ପରେ ଟ୍ରେନ୍‌ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବଲାଙ୍ଗୀର ରେଳ ଷ୍ଟେସନ୍ ର ଡାଏରୀ ଏଣ୍ଟ୍ରି କରାଯାଇଥିବା ଜଣାଯାଇଛି। ଏନେଇ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଛାତି ଯନ୍ତ୍ରଣାରୁ ଟ୍ରେନ୍ ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟଙ୍କ ସୂଚନା ଦେଇଛନ୍ତି , ମୃତ ମହିଳାଙ୍କ ନାମ ରାଧା ଖରା ଓ ତାଙ୍କର ଘର କୋରାପୁଟ ବୈପାରୀଗୁଡ଼ା ଅନ୍ତର୍ଗତ ରୁଂଜି ଗ୍ରାମରେ ବୋଲି କୁହାଯାଇଛି। ତାଙ୍କର ବୟସ ୧୮ ବର୍ଷ ବୋଲି ଜଣାଯାଇଛି। ଆଜି ସକାଳ ୬ଟା ୨୫ ମିନିଟ୍ ସମୟରେ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ରାଧା ଖରାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ – ସଂଘମିତ୍ରା ପଣ୍ଡା