ଏବେ କୋରାପୁଟରେ ହେବ କରୋନା ପରୀକ୍ଷା :-

କୋରାପୁଟ : କୋରାପୁଟ ଶହୀଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜ୍‌ ରେ ସ୍ୱତନ୍ତ୍ର କକ୍ଷରେ କରୋନା ପରୀକ୍ଷା କେନ୍ଦ୍ର କରାଯାଇଛି । ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଏହି କକ୍ଷରେ ପରୀକ୍ଷା ପାଇଁ ଯନ୍ତ୍ରପାତି ଲାଗିଛି। ଏଥିପାଇଁ ଏହି କକ୍ଷକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇଛି। ଚେନ୍ନାଇରୁ ଏକ ବିଶେଷଜ୍ଞ ଆସି କରୋନା ପରୀକ୍ଷା ନିମନ୍ତେ ଆବଶ୍ୟକତା ଅନୁଯାୟୀ ଯନ୍ତ୍ରପାତି ସ୍ଥାପନ କରିଥିଲେ। କରୋନା ପରୀକ୍ଷା ସମ୍ପର୍କିତ ତାଲିମ୍ ନିମନ୍ତେ ଏକ ଟିମ୍ ବାହାରକୁ ଯାଇ ତାଲିମ୍ ନେଇ ଫେରିଛନ୍ତି ।

କରୋନା ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟ ସରକାର ସହଯୋଗ କରିବା ସହ ଜିଲ୍ଲା ଖଣି ପ୍ରତିଷ୍ଠାନ ପକ୍ଷରୁ ଟଙ୍କା ବରାଦ କରାଯାଇଥିଲା।ଆଜି କରୋନା ପରୀକ୍ଷା କେନ୍ଦ୍ର କୁ ଆନୁଷ୍ଠାନିକ ଭାବେ କୋରାପୁଟ ଜିଲ୍ଲାପାଳ କରୋନା ପରୀକ୍ଷା କେନ୍ଦ୍ର କୁ ଉଦଘାଟନ୍ କରିଛନ୍ତି। କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ କୋରାପୁଟ ଜିଲ୍ଲାର ସ୍ଥିତି ଠିକ୍ ରହିଛି। କୋରାପୁଟ ଜିଲ୍ଲାରେ ସେହିପରି କୌଣସି ନୂତନ ରୋଗୀ ଚିହ୍ନଟ ହୋଇନାହିଁ।

ଏହି କରୋନା ପରୀକ୍ଷା କେନ୍ଦ୍ର ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଉପକାର କାରଣ ହେବ। କରୋନା ନମୁନା ପରୀକ୍ଷା ଭୁବନେଶ୍ୱର ରେ ହିଁ ହେଉଥିଲା ଯାହାଫଳରେ ବିଳମ୍ବ ରେ ନମୁନା ରିପୋର୍ଟ ମିଳୁଥିଲା । ବର୍ତ୍ତମାନ ବାହାରୁ ଆସୁଥିବା ପ୍ରବାସୀ ର ନମୁନା ପରୀକ୍ଷା ହେଲେ ଠିକ୍ ସମୟରେ କରୋନା ମହାମାରୀ କୁ ରୋକିବାରେ ସକ୍ଷମ ହେବ ।ଦିନକୁ ୬ଗୋଟି ନମୁନା ପରୀକ୍ଷା କରାଯିବ ପରବର୍ତ୍ତୀ ସମୟରେ ଆର୍ଟିଫିସାଲ ମେସିନ୍ ଆସିଲେ ସଂଖ୍ୟା ବଢିବ ,ଏହି କେତେଦିନ ପରେ ମେସିନ ଆସିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି। ଉକ୍ତ ଉଦଘାଟନ୍ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରବୀର କୁମାର ନାୟକ ସମେତ ମେଡ଼ିକାଲ୍ କଲେଜ୍ ର ଅଧ୍ୟକ୍ଷ କେ ସି ବିଶ୍ୱାଳ ସମେତ କୋଭିଡ ଲାବ୍ରଟରିର କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ- ସୁନ୍ଦର କୁମାର ପାଣି

କୋରାପୁଟ