ମାଡି ଆସୁଛି ମହାବାତ୍ୟା ଅମ୍ପନ୍ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏବେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ରେ ଏ ନେଇ ସୂଚନା ଦିଆଯାଇଛି ।
ଏହା ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ସିଧା ସଳଖ ଓଡ଼ିଶାରେ ମାଡ଼ ହେଉ ନଥିଲେ ବି ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ରହିବ ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଉପରେ ।
ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ଯାଏଁ ରହିବାର ଆକଳନ କରାଯାଉଛି । ସମୁଦ୍ରରେ ହିଁ ମହାବାତ୍ୟାର ଶକ୍ତି ହ୍ରାସ ପାଇବ ଏବଂ ଭେରି ସିଭିୟର ସାଇକ୍ଲୋନ୍ ରୂପରେ ସ୍ଥଳଭାଗ ଛୁଇଁବ । ଏହି ବାତ୍ୟା ଓଡ଼ିଶାରେ ମାଡ଼ ହେବନି ବରଂ ଓଡ଼ିଶା ଉପକୂଳ ଦେଇ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନରେ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ।
ମହାବାତ୍ୟା ସମୟରେ ସମୁଦ୍ର ଭିତରେ ପବନର ବେଗ ଏବେ ଘଣ୍ଟାପ୍ରତି ୨୩୦ରୁ ୨୪୦ କିଲୋମିଟର ଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ବେଗ ୧୬୫ରୁ ୧୭୫ କିଲୋମିଟର ଏବଂ ସ୍ଥଳବିଶେଷରେ ଘଣ୍ଟାକୁ ୧୯୫ କିମି ରହିବ । ତେଣୁ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ।
ରିପୋର୍ଟ – ସଂଘମିତ୍ରା ପଣ୍ଡା