ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମାଡର୍ନା କରୋନା ଟୀକା ତିଆରି କରିବାର ଆଶା ବଢାଇଛି । କମ୍ପାନୀ ଟୀକା ତିଆରି କରିବାର ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିସାରିଛି। କୁହାଯାଉଛି ଯେ, କମ୍ପାନୀ ଟୀକାକରଣର ମଣିଷ ଉପରେ ପରୀକ୍ଷଣ ଆରମ୍ଭ କରିଛି ଏବଂ ଏହାର ଫଳାଫଳ ମଧ୍ୟ ବହୁତ ଭଲ ହୋଇଛି । କମ୍ପାନୀ କହିଛି ଯେ, ହ୍ୟୁମାନ କ୍ଲିନିକାଲ ଟ୍ରାଏଲର ପ୍ରାରମ୍ଭିକ ଫଳାଫଳ ସକରାତ୍ମକ ହେବା ପରେ ଜୁଲାଇରୁ ଟୀକା ଟ୍ରାଏଲର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯିବ ।
ଯଦି ତୃତୀୟ ପର୍ଯ୍ୟାୟ ସଫଳ ହୁଏ, ତେବେ କମ୍ପାନୀ ଟୀକା ପ୍ରସ୍ତୁତି କରିବା ପାଇଁ ଲାଇସେନ୍ସ ପାଇଁ ଆବେଦନ କରିପାରିବ। ମାଡର୍ନା ହେଉଛି ପ୍ରଥମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯାହାକି ଏହାର RNA ଆଧାରିତ ଟୀକା ଉପରେ ହ୍ୟୁମାନ ଟ୍ରାଏଲ କରିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିସାରିଛନ୍ତି ଯେ, ବର୍ଷ ଶେଷ ସୁଦ୍ଧା କରୋନା ଟୀକା ବାହାରିପାରେ । ମାଡର୍ନା କମ୍ପାନୀ RNA ଆଧାରିତ ଟୀକା mRNA-1273ର ହ୍ୟୁମାନ ଟ୍ରାଏଲର ଘୋଷଣା କରିବା ସହ ତାହାକୁ କାର୍ଯ୍ୟରେ କରି ଦେଖାଇବା ପ୍ରଥମ ଆମେରିକୀୟ କମ୍ପାନୀ । କମ୍ପାନୀ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ୍ ଇନଫେକସନ ଡିଜିଜ (NIAID) ର ନେତୃତ୍ବରେ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନରୁ ଏହାର ଟୀକାକରଣର ହ୍ୟୁମାନ ଟ୍ରାଏଲର ସକରାତ୍ମକ ଫଳାଫଳର ତଥ୍ୟ ମଧ୍ୟ ଘୋଷଣା କରିଥିଲେ ।
ଫାର୍ମା କମ୍ପାନୀ କହିଛି ଯେ, ଟୀକା mRNA-1273ର ପ୍ରଭାବ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସୁରକ୍ଷିତ ଏବଂ ସଫଳ ରହିଥିଲା । ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୫, ୧୦୦ କିମ୍ବା ୨୫୦ ମାଇକ୍ରୋଗ୍ରାମ୍ ର ଡୋଜ୍ ଦିଆଯାଉଛି । ପ୍ରତ୍ୟେକ ଡୋଜ୍ ଗୋଷ୍ଠୀରେ ୧୫ ଜଣଙ୍କୁ ନେଇ ଗଠିତ ହୋଇଥିଲା । ମଧ୍ୟବର୍ତ୍ତୀ ଫଳାଫଳ ଜଣାଯାଇଛି ଯେ, ଆଣ୍ଟିବଡି ସମାନ ସ୍ତରରେ ଥିଲା ଯାହା ସାଧାରଣତଃ କରୋନା ଜୀବାଣୁ ସଂକ୍ରମିତ ଲୋକଙ୍କ ରକ୍ତ ନମୁନାରେ ଦେଖାଯାଏ । ମଡର୍ନା କମ୍ପାନୀରେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟିଫେନ୍ ବେସେଲ କହିଛନ୍ତି ଯେ, ଆଜିର ପ୍ରଥମ ପର୍ଯ୍ୟାୟ ସକରାତ୍ମକ ତଥ୍ୟ ସହିତ ଜୁଲାଇରେ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ଆରମ୍ଭ କରିବା ପାଇଁ ଆମ ଟିମ୍ ଯଥାସମ୍ଭବ ଗତି କରିବା ଉପରେ ଧ୍ୟାନ ଦେଇଛନ୍ତି । ସଫଳ ହେଲେ ଲାଇସେନ୍ସ ପାଇଁ ଆବେଦନ କରିବେ ।
ରିପୋର୍ଟ – ପ୍ରିୟମ୍ବଦା