ଭାରତରେ କରୋନା କାୟା : ସର୍ବମୋଟ ୯୬ ହଜାର ୧୬୯ କରୋନା ଆକ୍ରାନ୍ତ

କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ଦ୍ରୁତ ଗତିରେ ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ୧୫୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏବେ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବୃଦ୍ଧି ପାଇଛି । ଶନିବାର ଦିନ ୪ ହଜାର ୯୮୭ ମାମଲା ଆସିଥିଲା । ଏବେ ସୁଦ୍ଧା ୩ ହଜାରରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି । ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ ହଜାର ୧୬୯ ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ପାଇଛି । ରବିବାର ଦିନ ମହାରାଷ୍ଟ୍ରରେ ୨ ହଜାର ୩୪୭ ନୂଆ ମାମଲା ସାମ୍ନାକୁ ଆସିଥିଲା । ପ୍ରଥମଥର ପାଇଁ କୌଣସି ଗୋଟିଏ ରାଜ୍ୟରେ ୨ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । କେବଳ ମୁମ୍ବାଇରେ ୧୫୯୫ କରୋନା ପଜିଟିଭ୍ ହୋଇଛନ୍ତି । ମେ ୧୦ ରୁ ୧୪ ତାରିଖ ମଧ୍ୟରେ ମୁମ୍ବାଇରେ ୫୯୦ କରୋନା ପଜିଟିଭ୍ ହୋଇଥିଲେ । ମହାରାଷ୍ଟ୍ର ଔରଙ୍ଗାବାଦରେ କରୋନା ପଜିଟିଭ୍ ସଂଖ୍ୟା ହଜାରେ ଟପିଛି ।
୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି । ସେଥିରୁ କେବଳ ମୁମ୍ବାଇର ୩୮ ଜଣ ପ୍ରାଣ ହରାଇଛନ୍ତି । ରବିବାର ଦିନ ଗୁଜରାଟରେ ୩୮ ଜଣ ପ୍ରାଣ ହରାଇଛନ୍ତି । ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ପ୍ରତ୍ୟେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୧୨ ନୂଆ ମାମଲା ସାମ୍ନାକୁ ଆସିଛି । ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୯ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଏଯାବତ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର୍ କରି ସାରିଛି ।

ରିପୋର୍ଟ – ପ୍ରିୟମ୍ବଦା