ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ସଦାବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି । ପିଓକେରେ ଆଫ୍ରିଦି ମୋଦୀଙ୍କ ବିରୋଧରେ ଏପରି କିଛି କହିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ ପାଇଛି । ସାହିଦ ଆଫ୍ରିଦି ମୋଦୀଙ୍କ ବିରୋଧରେ ଅତି ଆପତ୍ତିଜନକ ମନ୍ତବ୍ୟ ଦେଇ କହିଛନ୍ତି ଯେ, କରୋନାଠୁ ବଡ ରୋଗ ମୋଦୀଙ୍କ ହୃଦୟ ଓ ମୁଣ୍ଡରେ ରହିଛି । ସେ କେବଳ କାଶ୍ମୀରକୁ ନେଇ ରାଜନୀତି କରୁଛନ୍ତି । କାଶ୍ମୀର ଭାଇ ଓ ଭଉଣୀ ଏବଂ ବୃଦ୍ଧଙ୍କ ପ୍ରତି ଅତ୍ୟାଚାର କରାଯାଉଛି ବୋଲି ସେ କହିଛନ୍ତି । ଏହାର ଜବାବ ମୋଦୀ ଦିଅନ୍ତୁ ବୋଲି ଆଫ୍ରିଦି କହିଛନ୍ତି । ପିଓକେରେ ଏକ ରାଲିକୁ ସମ୍ବୋଧନ କରି ସେ ଏହା କହିଛନ୍ତି ।
ଆଫ୍ରିଦିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେ କହିଛନ୍ତି ଯେ, ମୋଦୀ ସାହସୀ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପ୍ରକୃତରେ ସେ ଭୟଭୀତ । ମୋଦୀ କାଶ୍ମୀରରେ ୭ ଲକ୍ଷ ସୈନିକ ମୁତୟନ କରିଛନ୍ତି । ପାକିସ୍ତାନର ମୋଟ ସୈନିକଙ୍କ ସଂଖ୍ୟା ଏତିକି ଅଟେ । ଏହା ପ୍ରଥମ ଥର ନୁହେଁ ଯେ ଆଫ୍ରିଦି ମୋଦୀଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରିଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ବିବଦୀୟ ବୟାନ ଦେଇସାରିଛନ୍ତି । ମୋଦୀ ସରକାରରେ ଥିବା ଯାଏଁ ଭାରତ-ପାକିସ୍ତାନ କ୍ରିକେଟ ସିରିଜ ଆରମ୍ଭ ହେବ ନାହିଁ ବୋଲି ସେ ନିକଟରେ କହିଥିଲେ ।
ରିପୋର୍ଟ – ପ୍ରିୟମ୍ବଦା