୧୪ ବର୍ଷରୁ କମ୍ ସମସ୍ତ ୨୦ କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି ସ୍ପଷ୍ଟ କଲେ ସୁବ୍ରତ ବାଗଚି

ଶିଶୁମାନେ କରୋନା ଭାଇରସକୁ ଭଲ ମୁକାବିଲା କରିପାରୁଛନ୍ତି । ଓଡ଼ିଶାରେ ଏହା ପ୍ରମାଣିତ ହୋଇଛି । ରାଜ୍ୟରେ ବିଗତ ଦିନରେ ୨୦ ଜଣ ଶିଶୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ । ଏମାନଙ୍କର ବୟସ ୧୪ରୁ କମ ଥିଲା । କିନ୍ତୁ ଏବେ ଏମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ଶ୍ରୀ ବାଗଚୀ କହିଛନ୍ତି, ରାଜ୍ୟ ସରକାର ୩୦ଟି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି । ମୋଟ ୩୫ଟି କୋଭିଡ-୧୯ ହସ୍ପିଟାଲରେ ୫ ହଜାର ୭୦୦ ଶଯ୍ୟାର ବ୍ୟବସ୍ଥା କରିଛନ୍ତି । ଏହି ହସ୍ପିଟାଲ ଗୁଡ଼ିକର ନିର୍ମାଣରେ ଘରୋଇ ସଂସ୍ଥାମାନଙ୍କର ମଧ୍ୟ ଅବଦାନ ରହିଛି ।
ସେହିପରି କୋଭିଡ ମୁକାବିଲା ପାଇଁ ସରପଞ୍ଚମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର ୬୭୯୮ଟି ପଞ୍ଚାୟତରେ କରାଯାଇଥିବା ସଂଗରୋଧ କେନ୍ଦ୍ରର ପରିଚାଳନା କରିବାରେ ସରପଞ୍ଚମାନଙ୍କର ଭୂମିକା ରହୁଛି । ସେମାନେ ବାହାର ଫେରନ୍ତାଙ୍କ ରହିବା, ଖାଇବା ଓ ଅନ୍ୟ ଦାୟିତ୍ୱ ନେଇଛନ୍ତି । ଶ୍ରୀ ବାଗଚୀ କହିଛନ୍ତି, ଆଜି ଗୋଟିଏ ଦିନରେ ୧୫ ହଜାର ୩୬୦ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି । ଏପର୍ଯ୍ୟନ୍ତ ବାହାର ରାଜ୍ୟରୁ ୧୫ ହଜାର ୩୬୦ ଜଣ ପ୍ରବାସୀ ଫେରିଛନ୍ତି ।

ରିପୋର୍ଟ – ପ୍ରିୟମ୍ବଦା