ବର୍ତ୍ତମାନ ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ବଢ଼ିଛି। ଲୋକମାନଙ୍କର ପ୍ରଥମ ପସନ୍ଦ ହେଉଛି ଫେସବୁକ୍ । ଏହି ଫେସବୁକ୍ କୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଆକାଉଣ୍ଟ ହ୍ୟାକ୍ କରି ଲୁଟି ନେଉଛି ଟଙ୍କା। କିଛି କରିପାରୁନି ସାଇବର୍ ଥାନା, ଲୁଟେରାଙ୍କ ଗନ୍ଧ ବି ପାଉନି
କ୍ରାଇମବ୍ରାଞ୍ଚ ସେଥିପାଇଁ ପ୍ରୋତ୍ସାହିତ ହେଉଛନ୍ତି ଠକ। ସମସ୍ତ ଡାଟା ଚୋରି କରି ଅପବ୍ୟବହାର କରୁଛନ୍ତି | ତାଲାବନ୍ଦ ଯୋଗୁଁ ଟଙ୍କା ଆବଶ୍ୟକତା ଥିବା ଦର୍ଶାଇ ବନ୍ଧୁମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛି। ଆକାଉଣ୍ଟ ବ୍ୟବହାରକାରୀ ଜାଣିଲା ବେଳକୁ ସବୁ କାମ ଶେଷ | ଭୁବନେଶ୍ବରର ୨ ଜଣ ବରିଷ୍ଠ ପୋଲିସ୍ ଅଧିକାରୀ, ସାମ୍ବାଦିକ ଓ ସରକାରୀ କର୍ମଚାରୀ ହ୍ୟାକରଙ୍କ ଜାଲରେ ପଡ଼ିବା ପରେ ଏହି ଘଟଣା ପଦାକୁ ଆସିଛି। ଠକାମୀର ଶିକାର ହୋଇ ସେମାନେ ସାଇବର୍ ପୋଲିସ୍ ର ସହଯୋଗ ଲୋଡିଛନ୍ତି।
କେବଳ ଏହି ଘଟଣା ନୁହେଁ, ବରଂ ପୂର୍ବରୁ ଅନଲାଇନ୍ ଠକେଇର ଅନେକ ପ୍ରମାଣ ରହିଛି। ସାଇବର୍ ଥାନା ବା କ୍ରାଇମବ୍ରାଞ୍ଚ ଏ ନେଇ କୌଣସି ସଫଳତା ପାଉ ନ ଥିବାରୁ ଠକମାନେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ବାରମ୍ବାର ଏଭଳି ଠକାମୀ କରି ଚାଲିଛନ୍ତି।
ତାଲାବନ୍ଦ ସମୟରେ ଏହି ହ୍ୟାକର୍ ମାନେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ଘରେ ବସି ବସି ସେମାନେ ବିଭିନ୍ନ ଲୋକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ଅପବ୍ୟବହାର କରୁଛନ୍ତି। ଏଭଳି ଭାବେ ଗତ ୧୫ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ଫେସବୁକ୍ ହ୍ୟାକ୍ ହୋଇଥିବା ଜଣାପଡିଛି। ଏହି ତାଲିକାରେ କମିସନରେଟ ପୋଲିସ୍ ଦୁଇଜଣ ଏସିପିଙ୍କ ଫେସବୁକ୍ ଆକାଉଣ୍ଟ ବି ରହିଛି। ଏହି ଆକାଉଣ୍ଟକୁ ହ୍ୟାକ୍ କରି ଠକ ବନ୍ଧୁମାନଙ୍କୁ ଟଙ୍କା ମାଗୁଛି। ଗୁଗୁଲ୍ ପେ ଓ ପେ’ଟିଏମ୍ ଜରିଆରେ ପଠାଇବାକୁ କହୁଛନ୍ତି। ବନ୍ଧୁ ବା ସମ୍ପୃକ୍ତ ପୋଲିସ୍ ଅଧିକାରୀ ଅସୁବିଧାରେ ପଡ଼ିଥିବା ଜାଣି କେତେ ଜଣ ମଧ୍ୟ ଟଙ୍କା ପଠାଇଛନ୍ତି।
ଫେସବୁକ୍ ହ୍ୟାକ୍ କରି ଟଙ୍କା ମାଗିବା ଯେତିକି ଚିନ୍ତାଜନକ ନୁହଁ, ଯଦି ଆପତ୍ତିଜନକ ଫଟୋ, ଭିଡ଼ିଓ ଅପ୍ଲୋଡ୍ କରି କାହାକୁ ବ୍ଲାକମେଲ୍ କରାଯାଏ ତେବେ ପରିସ୍ଥିତି ଯେ କଣ ହେବ ତାହା ଅନୁମାନ କରାଯାଉଛି। ଏ ନେଇ ସମସ୍ତେ ବିଧିବଦ୍ଧ ଭାବରେ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା