ସମ୍ଭାବ୍ୟ ବାତ୍ୟାରେ ୪ ଜିଲ୍ଲାକୁ ବିପଦ। ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର କୁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡିପାରେ | ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଡିପ୍ରେସନର ରୂପ ନେବ। ଆସନ୍ତାକାଲି ଏହା ବାତ୍ୟାର ରୂପ ନେଇପାରେ। ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଆଡ଼କୁ ଗତି କରିବ। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଏସଆରସି କହିଛନ୍ତି।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ରୂପରେଖ ପ୍ରସ୍ତୁତ ହୋଇଛି।
ମୁଖ୍ୟତଃ ଏହି ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା କହିଛନ୍ତି ଏସଆରସି। ତେବେ ବାତ୍ୟା ବାଂଲାଦେଶ, ପଶ୍ଚିମବଙ୍ଗ କିମ୍ବା ଉତ୍ତର ଉପକୂଳ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ, ସେ ନେଇ ଏବେ ସୁଦ୍ଧା ଜଣାପଡ଼ିନି।
ଏହାର ପ୍ରଭାବରେ ଆସନ୍ତା ୧୮ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ। ଗଜପତି, ଗଂଜାମ, ପୁରୀ ଓ କେନ୍ଦ୍ରାପଡ଼ାରେ ଏହି ସମୟରେ ପବନ ବହିପାରେ। ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ସମ୍ଭାବନା ଦେଖାଦେଇଛି। ଯାହା ପରବର୍ତ୍ତି ସମୟରେ ୬୫ କିଲୋମିଟର ପର୍ଯ୍ୟନ୍ତ ବଢିପାରେ।
ସେହିପରି ୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଂଜ ଜିଲ୍ଲାରେ ପବନ ବହିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ଗଭୀର ସମୁଦ୍ରକୁ ଯିବାକୁ ମତ୍ସଜୀବୀଙ୍କୁ ମନା କରାଯାଇଛି।
ଗଜପତିରୁ ମୟୂରଭଞ୍ଜ ଯାଏଁ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି |
ରିପୋର୍ଟ – ସଂଘମିତ୍ରା ପଣ୍ଡା