ଧୀରେଧୀରେ ଖୋଲୁଛି ଫେକ୍ ମଦ ବେପାର ଗୁମର, ଭୁବନେଶ୍ୱର ପାଲଟିଛି ମୁଖ୍ୟ ଆଡାସ୍ଥଳୀ, ବାହାର ରାଜ୍ୟକୁ ଚେର ଲମ୍ବିଥିବା ଅନୁମାନ

ରାଜଧାନୀ ଛାତିରେ ଚାଲିଛି ବେ-ଧଡକ ମଦ କାରବାର । ଦିନକୁ ଦିନ ଅଧିକ ସକ୍ରିୟ ହେବାରେ ଲାଗିଛି , ସୋସିଆଲ ମିଡିଆରେ ଫେକ୍ ୟୁଜରଙ୍କ ସଂଖ୍ୟା । ମଦକୁ ନେଇ ଚାଲିଛି ଠକେଇ , କାମ କରୁଛି ବଡ଼ ଠକେଇ ସଂସ୍ଥା । ସମସ୍ତ ରାଜ୍ୟ ରେ ଲାଗୁ ରହିଛି ଲକ୍ ଡାଉନ୍ କଟକଣା , ଯାହାର ଭରପୁର ଫାଇଦା ଉଠାଉଛନ୍ତି ସୋସିଆଲ ମିଡ଼ିଆ ଫେସବୁକ ରେ ଥିବା କିଛି ଫେକ୍ ଆକାଉଣ୍ଟ ୟୁଜର । ପୂର୍ବରୁ ଏ ସମ୍ପର୍କିତ ଖବର ଆମ ଲାଇଭ କଳିଙ୍ଗ ଟିମ୍ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛି । ଯେଉଁଥିରେ କିଛି ସୁନ୍ଦରୀ ଯୁବତୀମାନେ ମଧ୍ୟ ଏହି ଫେକ୍ ମଦ କାରବାର ସହ ସଂଶ୍ଲିଷ୍ଟ ଥିବା ଦର୍ଶାଯାଇଥିଲା । ସୋସିଆଲ ମିଡ଼ିଆ ଫେସବୁକରେ ତିଆରି ହେଉଛି ଯୁବତୀଙ୍କ ନାମରେ ଫେକ୍ ଆକାଉଣ୍ଟ ଏବଂ ସେହି ଆକାଉଣ୍ଟରେ ମଦ ବିକ୍ରି ପାଇଁ ଦିଆଯାଉଛି ବିଜ୍ଞାପନ । ବିଜ୍ଞାପନରେ ଦିଆଯାଇଥିବା ନମ୍ବରରେ କଲ କରିବା ପରେ ଗୋଟିଏ ପରେ ଗୋଟିଏ ଯୁବକ କଥା ହୋଇ ଅଗ୍ରୀମ ଟଙ୍କା ପୈଠ କରିବା ପାଇଁ ହିନ୍ଦୀ ଭାଷାରେ କହୁଛନ୍ତି , ଏବଂ ଗୋଟିଏ ଥର ଟଙ୍କା ଦେଇଦେବା ପରେ ନା ମିଳୁଛି ମଦ , ନା ଟଙ୍କା ।
ଏହି ସଂସ୍ଥାର ପର୍ଦାଫାସ କରିବାକୁ ଉଦ୍ୟମ କରୁଥିବା ଆମ ଲାଇଭ କଳିଙ୍ଗ ଟିମ୍ ର ହାତରେ ଲାଗିଛି ଆଉ ଏକ ବଡ଼ ସୁରାଗ । ବିଶେଷ ସୂତ୍ରରୁ ଅନୁମାନ କରାଯାଉଛି ଯେ , ଏହି ସଂସ୍ଥାର ଚେର ରାଜ୍ୟ ବାହାର ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି ଏବଂ ଏହି ଠକ ସଂସ୍ଥା ପଛରେ ଏକ ବଡ଼ ଧରଣର ରାକେଟ କାମ କରୁଥିବା ଅନୁମାନ କରାଯାଉଛି । ଭୁବନେଶ୍ୱରରେ ସରକାରୀ ସ୍ଵୀକୃତିପ୍ରାପ୍ତ ବଡ଼ ବଡ଼ ମଦ ବ୍ୟବସାୟୀଙ୍କ ନାଁ ରେ ଫେସବୁକରେ ଆକାଉଣ୍ଟ ବନେଇ ସେଥିରେ ସେହି ମଦ ବ୍ୟବସାୟୀଙ୍କ ଦୋକାନ ନାମରେ ଦିଆଯାଉଛି ବିଜ୍ଞାପନ ।
ଏହିପରି ଫେକ୍ ଆକାଉଣ୍ଟ ବନେଇ ଅନେକ ଲୋକଙ୍କୁ ଠକିଥିବା ସୂଚନା ମିଳିଛି । ଏହି ଘଟଣାରେ ଉକ୍ତ ବ୍ୟବସାୟୀମାନଙ୍କୁ ସଜାଗ ରହିବାକୁ ଅନୁରୋଧ କରାଯାଇଥିଲେ ବି ଅତିଶୀଘ୍ର ଏହି ରାକେଟର ପର୍ଦାଫାସ କରିବାକୁ ପୋଲିସ୍ କେତେ ତତ୍ପର ହେଉଛି ଦେଖିବା ବାକି ରହିଲା ।