ଏଣିକି ବିନା କୋଭିଡ୍ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ। ପ୍ରବାସୀ ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଉପରେ ଗତକାଲି ରହିତାଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ।
ଏହି ଘଟଣା ପ୍ରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ଟାର୍ଗେଟ୍ କରିଥିଲା ବେଳେ ଆଇନ୍ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି।
ତଥ୍ୟ ଅନୁସାରେ, ସୁରତ ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ସ୍ଥିତି ହୁହୁ ହୋଇ ବଢ଼ିଛି। ୨୮ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୧୯ । ହେଲେ ୧୩ଦିନ ମଧ୍ୟରେ କରୋନା ଚିତ୍ର ପୂରା ବଦଳିଯାଇଛି। ଏବେ ତିନି ସହ ମୁହାଁ ସଂକ୍ରମିତ।
ତଥ୍ୟ କହୁଛି ଗଞ୍ଜାମରେ ଏଯାଏଁ ଯେତିକି ଆକ୍ରାନ୍ତ ହୋଇଛନ୍ତି ସେ ଭିତରୁ ପ୍ରାୟ ସମସ୍ତେ ସୁରତ ଫେରନ୍ତା। ଜଗତ୍ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ବି ସୁରତ ଫେରନ୍ତା ଲିଙ୍କ୍ ରହିଛି।
ତେବେ ସ୍ଥିତି ବିଗୁଡ଼ୁଥିବା ଦେଖି ଏକ ଜନସ୍ୱାର୍ଥ ମାମଲା ବିଚାର କରି ବିନା ଟେଷ୍ଟରେ ପ୍ରବାସୀଙ୍କୁ ନ ଆଣିବା ନେଇ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହାପରେ ସୁରତରୁ ଆସିବାକୁ ଥିବା ୩ଟି ଟ୍ରେନ୍କୁ ବନ୍ଦ କରିଥିଲେ ରାଜ୍ୟ ସରକାର। ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଗତକାଲି ରହିତାଦେଶ ଜାରି କରିଛନ୍ତି ସୁପ୍ରିମ୍କୋର୍ଟ।
କେନ୍ଦ୍ର ଗାଇଡଲାଇନ୍ ଅନୁସାରେ ପ୍ରବାସୀ ନିଜ ରାଜ୍ୟକୁ ଫେରିପାରିବେ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା କହିଛନ୍ତି। ରାଜ୍ୟ ସରକାର ଯଦି ଚାହୁଁଛନ୍ତି ଯାଞ୍ଚ କରି ପ୍ରବାସୀଙ୍କୁ ନେଇପାରିବେ। କିନ୍ତୁ ସେମାନଙ୍କ ଆଗମନ ଉପରେ ରୋକ ଲଗାଇପାରିବେ ନାହିଁ ବୋଲି ତୁଷାର କହିଛନ୍ତି।
ସୁପ୍ରିମ୍କୋର୍ଟଙ୍କ ଏ ନିଷ୍ପତ୍ତି ପ୍ରବାସୀ ଓଡ଼ିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି ପାଲଟିଛି। ସୁପ୍ରିମକୋର୍ଟଙ୍କ ଏଇ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ? କେମିତି ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବେ ସରକାର, ତାହା ବର୍ତ୍ତମାନ ର ବଡ଼ ପ୍ରଶ୍ନ |
ରିପୋର୍ଟ – ସଂଘମିତ୍ରା ପଣ୍ଡା