ଆମେରିକାରେ ସମ୍ପୂର୍ଣ କାୟା ବିସ୍ତାର କରିଛି କରୋନା, ଟ୍ରମ୍ପ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମରିକାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବଧିକ। ସଂକ୍ରମଣ ଯେପରି ଥମିବାର ନାଁ ଧରୁନି। ଏପରି ପରିସ୍ଥିତିରେ ଶୁକ୍ରବାର ଆମେରିକା ତା’ର ରାଷ୍ଟ୍ରୀୟ ପ୍ରାର୍ଥନା ଦିବସ ପାଳନ କରିଛି।
ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲେନିଆ ଟ୍ରମ୍ପଙ୍କ ଉପସ୍ଥିତିରେ ହ୍ୱାଇଟ୍ ହାଉସ୍ର ରୋଜ୍ ଗାର୍ଡନରେ ଏହି ପ୍ରାର୍ଥନା ଦିବସ ପାଳିତ ହୋଇଥିଲା। ଏହି ସମୟରେ ମନ୍ତ୍ର ଉଚ୍ଚାରଣ ସହ ବୈଦିକ ଶାନ୍ତି ପାଠ କରାଯାଇଥିଲା।
ସବୁଠାରୁ ଖୁସିର କଥା ହେଲା, ଏହି ଶାନ୍ତିପାଠ ପାଇଁ ହିନ୍ଦୁ ପଣ୍ଡିତମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ନାରାୟଣ ମନ୍ଦିରର ପୂଜାରୀ ହରୀଶ ବ୍ରହ୍ମଭଟ୍ଟ ଏହି ବୈଦିକ ମନ୍ତ୍ରୋଚ୍ଚାରଣ କରିଥିଲେ। ଅନ୍ୟ ସମସ୍ତ ଧର୍ମର ଗୁରୁଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯାଇଥିଲା।
ଅର୍ଥ, ବିଦ୍ୟା, କ୍ଷମତା ସବୁଥିଲେ ମଧ୍ୟ କରୋନାରୁ ମୁକ୍ତି ପାଇ ପାରୁନାହିଁ ଆମେରିକା । ଶେଷରେ ଭଗବାନଙ୍କ ଶରଣ ପଶିଛି। କରୋନା କବଳରୁ ଖୁବ୍ ଶିଘ୍ର ମୁକ୍ତି ଦେବା ପାଇଁ ପ୍ରାର୍ଥନା କରାଯାଇଥିଲା। ପୂଜାରୀ ହରିଶ ପ୍ରଥମେ ସଂସ୍କୃତରେ ମନ୍ତ୍ରପାଠ କରିଥିଲେ। ପରେ ଏଠାରେ ଉପସ୍ଥିତ ଲୋକଙ୍କ ପାଇଁ ଏହାକୁ ଇଂରାଜୀରେ ଅନୁବାଦ କରାଯାଇଥିଲା।
ଶାନ୍ତିପାଠ ପରେ ଟ୍ରମ୍ପ ପୂଜାରୀଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ସମ୍ବୋଧନ କରି କହିଥିଲେ, ଆମେରିକା ଏହି ସମୟରେ ବହୁତ ବଡ ବିପଦ ସହ ଲଢୁଛି। ଏପରି ପରିସ୍ଥିତିରୁ ଭଗବାନ ହିଁ ଆମକୁ ରକ୍ଷା କର ପାରିବେ |
ରିପୋର୍ଟ – ସଂଘମିତ୍ରା ପଣ୍ଡା