ସମସ୍ତେ ନିରବ, ଚାରିଆଡେ ଶୂନଶାନ୍ | ଶତ୍ରୁ ସହ ଲଢ଼ି ସହିଦ୍ ହୋଇଗଲେ ଦେଶର ଆଉ ଜଣେ ବୀର ଯବାନ୍ । ବୀର ପୁତ୍ରକୁ ହରାଇ ଗୁମୁରି କାନ୍ଦୁଛି ମା। ଘରକୁ ଫେରିବା ଦିନ ହିଁ ମା’ ମାଟି ପାଇଁ ଦେଶ ପାଇଁ ଲଢ଼ି ହସି ହସି ପ୍ରାଣବଳୀ ଦେଲେ ବୀର ଯବାନ୍ ମେଜର୍ ଅନୁଜ୍ ସୁଦ୍ । ଗତକାଲି ହନ୍ଦୱାଡ଼ା ଆତଙ୍କୀ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ୫ ଜଣ ଯବାନ୍ ଙ୍କ ମଧ୍ୟରେ ସାମିଲ ଥିଲେ ମେଜର୍ ସୁଦ୍ । ଭୂତାଣୁ ଭୟ ଭିତରେ ସହିଦ୍ ବୀର ଯବାନ୍ ଙ୍କ ସୌର୍ଯ୍ୟଙ୍କୁ ମନେ ରଖିବ ସାରା ଦେଶ ।
ପୁଅର ସହିଦ୍ ହେବାର ଖବର ଶୁଣିବା ପରେ ଭାଙ୍ଗିପଡ଼ିଛି ପୁରା ପରିବାର, କୋହ ଭରା ହୃଦୟ ରେ ବାପା ବଖାଣୁଛନ୍ତି ଅନେକ କଥା । ହେଲେ ଦେଶ ପାଇଁ ଜୀବନ ଦେଇଥିବାରୁ ବୀର ପୁତ୍ରର ପିତାବୋଲି ସେ ଆଜି ଗର୍ବିତ ।
ତାଲାବନ୍ଦ୍ ରେ ସମେସ୍ତ ଥିଲାବେଳେ ଶତ୍ରୁ ସହ ଲଢ଼ି ସହିଦ୍ ହୋଇଗଲେ ଯବାନ୍ ପୁଅ । ଲକଡାଉନ୍ ପାଇଁ ଥରେ ଛୁଟି କ୍ୟାନସେଲ୍ ହୋଇସାରିଥିଲା । ହେଲେ ଯେଉଁ ଦିନ ଘରକୁ ଆସିବାର ତାରିଖ ସ୍ଥିର ହୋଇଥିଲା, ସେଦିନ ଦେଶ ପାଇଁ ଜୀବନ ଦେଇଦେଲେ ମେଜର୍ । ବ୍ରିଗେଡ଼୍ ଅଫ୍ ଗାର୍ଡ଼ସର ଅଧିକାରୀ ଥିଲେ ମେଜର୍ ଅନୁଜ୍ ସୁଦ୍ । ଆତଙ୍କୀ ଆକ୍ରମଣରେ ବୀରଗତି ପ୍ରାପ୍ତ କରିଥିବା ଅନୁଜଙ୍କ ପିତା ଜଣେ ଅବସରପ୍ରାପ୍ତ ବ୍ରିଗେଡ଼ିୟର । ଭଉଣୀ ମଧ୍ୟ ସେନାରେ କାର୍ଯ୍ୟରତ କ୍ୟାପଟେନ୍ ।
ସବୁଥିରେ ଆଗରେ ଥିଲେ ସେ, ଜଣେ ମେଧାବୀ ଛାତ୍ର ଥିବା ଅନୁଜ ସୁଦ୍ ପାଠପଢ଼ାରେ ମଧ୍ୟ ବେଶ୍ ଆଗୁଆ ଥିଲେ । ଆଇଆଇଟିରେ କ୍ୱାଲିଫାଏ କରିଥିଲେ ସୁଦ୍ଧା ଦେଶ ମାତୃକାର ମନୋବୃତ୍ତି ନେଇ ସେନାରେ ଯୋଗ ଦେଇଥିଲେ । ସବୁଠୁ ଦୁଃଖର କଥା ଯାହା ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ବାହାରି ଆସିବ, ଅନୁଜ୍ ସୁଦଙ୍କର ବିବାହକୁ ଚାରି ମାସ ବି ପୂରିନି । ସ୍ୱାମୀ ଘରକୁ ଆସିବେ ବୋଲି ଅନୁଜଙ୍କ ପତ୍ନୀ ବହୁତ ଖୁସି ଥିଲେ କିନ୍ତୁ ବିଧିର ବିଧାନ ଆଉ କିଛି ଥିଲା ସେ ସ୍ୱାମୀଙ୍କୁ ଟିକେ ଆଖି ପୂରେଇ ଦେଖିବା ପୂର୍ବରୁ ସ୍ୱାମୀ ଚାଲିଯାଇଛନ୍ତି ଅଫେରା ରାଇଜ କୁ ଯେଉଁ ରାଇଜ କୁ ଗଲେ ଫେରିବା ସମ୍ଭବ ନୁହଁ ।
ବୀର ପୁତ୍ରକୁ ହରାଇଥିଲେ ବି ଛାତିକୁ ପଥର କରି ମେଜର୍ ଙ୍କ ପିତା କହିଛନ୍ତି, ପୁଅ ଦେଶ ପାଇଁ ଜୀବନ ଦେଇଛି ସେଥିପାଇଁ ଦୁଃଖ ନାହିଁ । ଦୁଃଖ କେବଳ ବୋହୂ ପାଇଁ । କିଛି ମାସ ତଳେ ନାଲି ଅଳତା ପିନ୍ଧି ଘରକୁ ଆସିଥିବା ବୋହୂର ଲୁହ ଦେଖି ହେଉନି । ପୁଅ ଦେଶ ପାଇଁ ମାଟି ପାଇଁ କର୍ତ୍ତବ୍ୟ କରିଛି । ଏପରି କହୁ କହୁ ଛାତି କୁଣ୍ଢେମୋଟ ହୋଇଯାଉଛି ସିନା, ହେଲେ ପୁଅକୁ ହରାଇ କୋହକୁ ସମ୍ବଳିବା ଭାରି କଷ୍ଟ |
ଏଇଠି କହିରଖିବୁ ଯେ, ଗତକାଲି ସହିଦ୍ ହୋଇଥିବା ମେଜର୍ ଅନୁଜଙ୍କ ପାର୍ଥିବ ଶରୀର ଆଜି ତାଙ୍କ ପୈତୃକ ଗାଁ ପଞ୍ଚକୁଳରରେ ପହଞ୍ଚିବ । ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବୀର ପୁତ୍ରର ଶେଷ ଦର୍ଶନ ପାଇଁ ଚାହିଁବସିଛି ଗାଁ ମାଟି |
ରିପୋର୍ଟ – ସଂଘମିତ୍ରା ପଣ୍ଡା