ଭାରତୀୟ ଫୁଟ୍ବଲ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ଚୁନି ଗୋସ୍ୱାମୀ ଆଉ ନାହାଁନ୍ତି । କୋଲ୍କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ ।
୧୯୬୨ ମସିହା ‘ଏସିଆନ୍ ଗେମ୍ସ’ ବେଳେ ସେ କ୍ୟାପ୍ଟେନ୍ ଥାଇ ଭାରତକୁ ଗୋଲ୍ଡ ମେଡାଲ୍ ଜିତାଇବାରେ ସୈାଭାଗ୍ୟ ଅର୍ଜ୍ଜନ କରିଥିଲେ । ସେ ମଧ୍ୟ ପ୍ରଥମ ଶ୍ରେଣୀର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ପଶ୍ଚିମବଙ୍ଗ ପକ୍ଷରୁ ଖେଳିଥିଲେ ।
କିଛି ମାସ ଧରି ଗୋସ୍ୱାମୀ ସ୍ନାୟୁ ଓ ପ୍ରୋଷ୍ଟ୍ରେଟ୍ ରୋଗ ସହ ମଧୂମେହ ରୋଗରେ ପୀଡିତ ଥିଲେ । ଗୋଟିଏ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ହୃଦଘାତ ଯୋଗୁ ଆଜି ଅପରାହ୍ଣ ୫ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକ ସୂଚନା ଦେଇଛନ୍ତି |
୧୯୫୭ରୁ ଅନ୍ତର୍ଜାତୀୟ ଖେଳାଳୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ଗୋସ୍ୱାମୀ ୧୯୬୪ ମସିହାରେ ଅନ୍ତର୍ଜାତୀୟ ଖେଳରୁ ସନ୍ନ୍ୟାସ ନେଇଥିଲେ । କେବଳ ଗୋସ୍ୱାମୀ ଜଣେ ଫୁଟବଲ୍ ଖେଳାଳୀ ନଥିଲେ ସେ ମଧ୍ୟ ଜଣେ କ୍ରିକେଟର ଥିଲେ ତାଙ୍କ ମୃତ୍ୟୁରେ ଖେଳ ପ୍ରେମୀଙ୍କ ମନରେ ଶୋକର ଲହରୀ ଖେଳିଯାଇଛି |
ରିପୋର୍ଟ – ସଂଘମିତ୍ରା ପଣ୍ଡା