ବିମାନ ସେବା କେବେ ଆରମ୍ଭ ହେବ, ସେନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରୁନି । ବିମାନ ସେବା କେବେ ଆରମ୍ଭ ହେବ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରଣାଳୟ ଘୋଷଣା କରିଛି । ହେଲେ ବିମାନ କମ୍ପାନିଗୁଡ଼ିକ ଟିକେଟ୍ ବୁକିଂ ରଖିବା ଆରମ୍ଭ କରି ଦେଇଛନ୍ତି । ମେ’ ୩ରେ ଲକ୍ଡାଉନ୍ ଅବଧି ସରିବା ପରେ ପୁଣି ବଢ଼ିବ କି ନାହିଁ, ବିମାନ ସେବା ଆରମ୍ଭ ହେବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନଥିଲେ ମଧ୍ୟ ବିମାନ କମ୍ପାନିଗୁଡ଼ିକ ଟିକେଟ୍ ବିକିବା ଆରମ୍ଭ କରିଦେଇଛନ୍ତି । ଜୁନ୍ ୧ରୁ ଅଧିକାଂଶ ବିମାନ କମ୍ପାନି ଟିକେଟ୍ ବୁକିଂ ରଖୁଛନ୍ତି । କିନ୍ତୁ ଲକ୍ଡାଉନ୍ ଖୋଲିବା ପରେ ବିମାନ ଭଡ଼ା ପୂର୍ବାପେକ୍ଷା ଅଧିକ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବେସାମରିକ ବିମାନ ଚଳାଚଳ ଜୁନ୍ ୧ରୁ ଆରମ୍ଭ ହୋଇପାରେ । କିଛି ନିଷ୍ପତ୍ତି ହୋଇନଥିଲେ ମଧ୍ୟ ପ୍ରଥମେ ଘରୋଇ ବିମାନ ଯାତାୟାତ କରିବ ବୋଲି କୁହାଯାଉଛି । ଯେଉଁ ରାଜ୍ୟ କରୋନାମୁକ୍ତ ଥିବ ସେଠାକୁ ବିମାନ ଉଡ଼ାଣ କରିବ । ଏହାପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ । ଏହା ବି କରୋନାମୁକ୍ତ ଦେଶ ହୋଇଥିବା ଦରକାର । ବିମାନ ଚଳାଚଳ ଅଧିକ ଦିନ ବନ୍ଦ ରଖିବା ସମ୍ଭବ ନଥିବାରୁ କିପରି ସାମାଜିକ ଦୂରତା ରଖି ବିମାନ ସେବା ଆରମ୍ଭ କରିହେବ, ସେଥିପାଇଁ ଡିଜିସିଏ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରୁଛି । ଏଥିରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ଭଳି ନିୟମ ରହିବ । ବିମାନ କମ୍ପାନିଗୁଡ଼ିକ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ବିମାନ ଚଳାଚଳ କରିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି । ବିମାନରେ ଯାତ୍ରୀଙ୍କ ମଧ୍ୟରେ ଦେଢ଼ ମିଟର ଦୂରତା ରହିବ। ସେଥିପାଇଁ ଗୋଟିଏ ଧାଡ଼ିରେ ମାତ୍ର ଜଣେ ଯାତ୍ରୀ ବସିବେ । ତେଣୁ ତିନିଟିକିଆ ସିଟ୍ ଯେଉଁଠି ପଡ଼ିଥିବ, ସେଠାରେ ଜଣେ ଯାତ୍ରୀ ବସିବେ । ୧୮୦ ସିଟ୍ ବିଶିଷ୍ଟ ବିମାନରେ ମୋଟ୍ ୬୦ଜଣ ଯାତ୍ରୀ ଯାତ୍ରା କରି ପାରିବେ । କେବଳ ଏତିକି ନୁହେଁ, ବିମାନବନ୍ଦରରେ ଯାତ୍ରୀମାନେ ଚେକ୍-ଇନ୍ଠାରୁ ବୋର୍ଡିଂ ପାସ୍ ଯାଞ୍ଚ ପର୍ଯ୍ୟନ୍ତ ସବୁଠି ଅତି କମ୍ରେ ଏକ ମିଟର ଦୂରତା ରକ୍ଷା କରିବେ । ଏଥିପାଇଁ ଟର୍ମିନାଲ ପରିସରରେ ବୃତ୍ତାକାର ଚିହ୍ନ ଦିଆଯିବ ।
ଭୁବନେଶ୍ବରରୁ ସବୁଠୁ ଅଧିକ ବିମାନ ଉଡ଼ାଣ କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ମେ’ ୩୧ ପର୍ଯ୍ୟନ୍ତ ଟିକେଟ୍ ବୁକିଂ ବନ୍ଦ ରଖିଛି । ଏହା ପରଠାରୁ ଯେଉଁ ବୁକିଂ ରଖୁଛି, ତାହା ଦାମ୍ ଏବେ ପୂର୍ବଭଳି ରହିଛି । ଟିକେଟ୍ ଦାମ୍ ବଢ଼ିବ କି ନାହିଁ, ତାହା ଡିଜିସିଏର ଗାଇଡ୍ଲାଇନ୍ ଉପରେ ନିର୍ଭର କରୁଛି । ସେହିପରି ଭିସ୍ତାରା, ଗୋ ଏୟାର ମଧ୍ୟ ମେ’ ୩୧ ପର୍ଯ୍ୟନ୍ତ ବୁକିଂ ରଖୁନାହାନ୍ତି । କେବଳ ସ୍ପାଇସ୍ ଜେଟ୍ ମେ’ ୧୫ ପରଠାରୁ ବୁକିଂ ରଖୁଥିବାବେଳେ ଏୟାର ଇଣ୍ଡିଆ, ଏୟାର ଏସିଆ ଭଳି କମ୍ପାନି ଡିଜିସିଏ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛନ୍ତି , ନିର୍ଦ୍ଦେଶ ମିଳିବାପରେ ହିଁ ବୁକିଂ ରଖିବେ ବୋଲି ଜଣାପଡ଼ିଛି ।
ରିପୋର୍ଟ – ପ୍ରିୟମ୍ବଦା