ଉତ୍ପତ୍ତିସ୍ଥଳ ଚୀନ୍ ରୁ କୋରନା ଭାଇରସ୍ କୁ ରୋକା ନ ଯିବାରୁ ୧୮୪ଟି ଦେଶ ଭୋଗୁଛନ୍ତି ନର୍କ ଯନ୍ତ୍ରଣା : ଡୋନାଲ୍‌ଡ୍ ଟ୍ରମ୍ପ୍

କୋଭିଡ୍-୧୯କୁ ଉତ୍ପତ୍ତିସ୍ଥଳରୁ ନ ଅଟକା ଯିବାରୁ ଏବେ ୧୮୪ଟି ଦେଶ ‘ନର୍କ ଯନ୍ତ୍ରଣା’ ଭୋଗୁଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଚୀନ୍‌କୁ ତୀବ୍ର ସମାଲୋଚନା କରି କହିଛନ୍ତି । ମଙ୍ଗଳବାର ଦିନ ହ୍ବାଇଟ୍ ହାଉସ୍‌ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି, କରୋନାଭାଇରସ୍ ୧୮୪ଟି ଦେଶକୁ ବ୍ୟାପି ସାରିଛି । ଏ କଥା ସହଜରେ ବଶ୍ବାସ କରି ହେଉନାହିଁ । ଉତ୍ପତ୍ତିସ୍ଥଳ ଚୀନ୍‌ରୁ ଏହାକୁ ଅଟକାଯିବା ଉଚିତ ଥିଲା, କିନ୍ତୁ ଅଟକା ଗଲାନାହିଁ । ତେଣୁ ଏବେ ୧୮୪ଟି ଦେଶ ଦୁର୍ଦ୍ଦଶା ଭୋଗୁଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍ ଓ ଜର୍ମାନିର ନେତାମାନେ ମଧ୍ୟ କହୁଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ୍ ଏହି ଭୂତାଣୁ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ ମୃତ୍ୟୁ ଓ ଜାଗତିକ ଅର୍ଥନୀତି କ୍ଷୟକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା । ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଆମେରିକୀୟ ସାଂସଦମାନେ ଟ୍ରମ୍ପ୍‌ଙ୍କ ଉପରେ ଚାପ ପକାଇ କହୁଛନ୍ତି କି, ଆମେରିକା ବେଜିଙ୍ଗ୍ ଉପରୁ ନିର୍ଭରଶୀଳତା ହ୍ରାସ କରୁ ଏବଂ ଚୀନ୍ ଠାରୁ କ୍ଷତିପୂରଣ ଦାବି କରୁ । ଅନ୍ୟ ପକ୍ଷରେ, ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରିବା ନିମନ୍ତେ ଆବଶ୍ୟକ ବିରଳ ମୃତ୍ତିକା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ନିମନ୍ତେ ଆମେରିକା ଚୀନ୍‌‌ ଉପରେ ନିର୍ଭରଶୀଳ । କିନ୍ତୁ, ସେସବୁ ସ୍ବଦେଶରୁ ସଂଗ୍ରହ କରାଯାଉ ବୋଲି ସିନେଟର୍ ଟେଡ୍ କ୍ରୁଜ୍ ଏବଂ ତାଙ୍କ ସହକର୍ମୀମାନେ ଦାବି କରିଛନ୍ତି ।
ରିପୋର୍ଟ – ପ୍ରିୟମ୍ବଦା

Leave a Reply

Your email address will not be published. Required fields are marked *