ମହାମାରୀ କରୋନା ଲକ୍ ଡାଉନ୍ ଯୋଗୁଁ ଓଡିଶା ବାହାରେ ଫଶି ରହିଥିବା ଓଡିଆ ଘରକୁ ଫେରିବାର ଉପାୟ ନ ପାଇ ଶେଷରେ ଭିନ୍ନ ପନ୍ଥା ଆପଣେଇଛନ୍ତି । ଚାନ୍ଦାକରି ଡଙ୍ଗା କିଣିଛନ୍ତି ଏବଂ ସେହି ଡଙ୍ଗାରେ ଘରକୁ ଫେରିଛନ୍ତି । ମୋଟ ୨୭ଜଣ ମତ୍ସ୍ୟଜୀବୀ ଏହିପରି ବିପଦପୂର୍ଣ୍ଣ ଭାବେ ସମୁଦ୍ରପଥରେ ଫେରିବାକୁ ବାଧ୍ୟ ହୋଇଛନ୍ତି ।
ସୋମବାର ସକାଳୁ ଓଡିଶା-ଆନ୍ଧ୍ର ସୀମାନ୍ତ ଇଚ୍ଛାପୁରମ୍ ନିକଟ ଡୋଙ୍କୁରୀ ଗାଁରେ ଲାଗିଥିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ତାମିଲନାଡୁ ଚେନ୍ନାଇରୁ ୨୭ ଜଣ ଶ୍ରମିକ ଏହି ଡଙ୍ଗାରେ ଆସି ପହଂଚିବା ଖବର ପାଇ ପୋଲିସ୍ ସେମାନଙ୍କୁ ହେପାଜତକୁ ନେଇଛି । ସମସ୍ତଙ୍କୁ ଡୋଙ୍କୁରୀ ଗାଁରେ ଥିବା ଏକ ମଡେଲ୍ ସ୍କୁଲରେ ରଖାଯାଇଥିବା ସୂଚନା ମିଳିଛି । ତେବେ ଚେନ୍ନାଇରୁ ସମୁଦ୍ର ପଥରେ ଏମାନଙ୍କ ଜଳ ଯାତ୍ରା ଥିଲା ବେଶ ରୋମାଂଚକର । କରୋନା ମୁକାବିଲା ପାଇଁ ସରକାରଙ୍କ ତାଲାବନ୍ଦ କଟକଣା ଫଳରେ ସଡକ ପଥରେ ଫେରିବା ସମ୍ଭବ ନଥିଲା । ଆଉ ସେଥିପାଇଁ ଗତ ୧୫ ତାରିଖରେ ଏମାନେ ଏକ ଡଙ୍ଗାରେ ସମୁଦ୍ରରେ ବାହାରି ପଡିଥିଲେ । ଜଳ ପଥରେ ୫ ଦିନ ଧରି ପ୍ରାୟ ୧୧ ଶହ କିଲୋମିଟରରୁ ଅଧିକ ଯାତ୍ରା କରିବା ପରେ ଆନ୍ଧ୍ର-ଓଡିଶା ସୀମାନ୍ତ ଇଚ୍ଛାପୁରମ୍ ନିକଟ ଡୋଙ୍କୁରୀ ଗାଁରେ ୨୦ ତାରିଖରେ ପହଂଚିଥିଲେ ।
ରିପୋର୍ଟ – ସଂଘମିତ୍ରା ପଣ୍ଡା